Latest Odisha News

BREAKING NEWS

ଚାଷୀଙ୍କ ପରିବାର ଲାଗି ‘କାଳିଆ ସ୍କଲାରସିପ୍’ ୱେବ୍ ପୋର୍ଟାଲ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟଠାରେ ‘କାଳିଆ ସ୍କଲାରସିପ୍’ ୱେବ୍ ପୋର୍ଟାଲ୍ ଓ ଲୋଗୋ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡ଼ାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ଉନ୍ନତି ହେଲେ ଚାଷୀଭାଇମାନଙ୍କ ଉନ୍ନତି ତଥା ଓଡ଼ିଶାର ଉନ୍ନତି ସମ୍ଭବ ହୋଇପାରିବ । କାଳିଆ ଯୋଜନାର ହିତାଧିକାରୀମାନଙ୍କ ପିଲାମାନେ ଏହାର ସୁବିଧା ନେବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କାଳିଆ ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ପ୍ରଥମ ପର୍ଯ୍ୟାୟରେ ୫,୦୦୦ ଟଙ୍କା ଲେଖାଏଁ ପାଇଛନ୍ତି । ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ କାଳିଆ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ଚାଷୀ ପରିବାରର ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ୱେବ୍ ପୋର୍ଟାଲ୍  kalia.co.in/scholarship ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଯୋଜନାରେ ସାମିଲ୍ ହୋଇପାରିବେ ।

ଏହି କାର୍ଯ୍ୟକ୍ରମରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.