Latest Odisha News

BREAKING NEWS

ଦିଗପହଣ୍ଡିରେ ତୁଳା ଜିନିଂ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦିଗପହଣ୍ଡିରେ ଏକ ତୁଳା ଜିନିଂ ମିଲ ଓ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛୋଟ ଛୋଟ ସହରରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ବ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନ ଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତୁଳା ଜିନିଙ୍ଗ ମିଲ୍‌ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କପା ଚାଷୀଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ ପାଇଁ ପ୍ରେରଣା ଦେବ । ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ବିଣ୍ଟାଲ ତୁଳା ଅମଳ ହେଉଛି । ତୁଳା ଜିନିଂ ମିଲ୍ ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ, ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ ।

ସେହିପରି ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆ ବସ ଟର୍ମିନାଲ ଉଦଘାଟିତ ହୋଇଛି । ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ । ଗଞ୍ଜାମ ଜିଲ୍ଲାରେ ଥିବା ଏନଏସି ବସଷ୍ଟାଣ୍ଡ ଗୁଡିକ ଠାରୁ ଏହା ସର୍ବବୃହତ ବସଷ୍ଟାଣ୍ଡ । ବସ୍‌ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ରୁ ୧୫୦ ବସ୍‌ ଚଳାଚଳ ହୋଇପାରିବ । ଏବଂ ଏହାଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିବ । ଏହି ଦୁଇଟି ଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Leave A Reply

Your email address will not be published.