ଭୁବନେଶ୍ଵର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲେଚନା କରିବେ। ଗତ ରବିବାର ବଡି ଭୋରରୁ ଘଟିଥିବା ଅଘଟଣ ପରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଅପରାହ୍ଶ ୩ଟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ସହ ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠି ସେବାୟତଙ୍କ ସହ ଆଲୋଚନା କରିବା ସହ କିପରି ମହାପ୍ରଭୁଙ୍କ ନିତିକାନ୍ତି ଚାଲିଛି ସେନେଇ ସମୀକ୍ଷା କରିପାରନ୍ତି। ଶରଧାବାଲିରେ ଘଟିଥିବା ଅଘଟଣ ପରେ ଆଗକୁ ବାହୁଡାଥିବାରୁ ଏବେ ଆହୁରି ସତର୍କ ହୋଇଛି ପ୍ରଶାସନ।
ସୂଚନାଯୋଗ୍ୟ, ଗତ ରବିବାର ବଡିଭୋର୍ ପ୍ରାୟ ରାତି ୪.୨୦ ବେଳକୁ ପୁରୀରେ ମହାପ୍ରଭୁଙ୍କ ଦେଖିବା ପାଇଁ ଭିଡ଼ ଅସମ୍ଭାଳ ହୋଇଥିବା ବେଳେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଯାହାକୁ ନେଇ ପ୍ରଶାସନର ଅବହେଳାକୁ ଦର୍ଶାଇ ଅସନ୍ତୋଷ ଝାଡିଥିଲେ ଭକ୍ତ ଏବଂ ମୃତକଙ୍କ ପରିବାର ଲୋକେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଭକ୍ତଙ୍କୁ କ୍ଷମା ମାଗିଥିଲେ। ଆଉ ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ। ଦଳଚକଟାରେ ଅବହେଳା ପାଇଁ ତୁରନ୍ତ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପିଙ୍କୁ ବଦଳି କରିଥିଲେ। ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ । ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା ବ୍ୟବସ୍ଥାରେ ସିଧାସଳଖ ଜଡିତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପ୍ରତି କିଛି ଏପରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର । ଏନେଇ ଘଟଣାର ତଦନ୍ତ ପାଇଁ ଏକ ବୈଠକ ମଧ୍ୟ କରି ତଦନ୍ତର ନିର୍ଦ୍ଦେଶ ବି ଦେଇଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କର ମୃତ୍ୟୁ ହେବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଛି । ତାଙ୍କ ସ୍ଥାନରେ ଏବେ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ସେହିପରି ରଥ ଅଘଟଣ ପାଇଁ ପୁରୀ ଏସ୍ପି ବିନିତ ଅଗ୍ରୱାଲ ବି ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଇପିଏସ୍ ପିନାକ ମିଶ୍ର ଏବେ ପୁରୀ ଏସପି ଦାୟିତ୍ବ ତୁଲାଉଛନ୍ତି । ଯାହାଙ୍କର ପୂର୍ବରୁ ପୁରୀ ଏସପି ଭାବେ ଅଭିଜ୍ଞତା ରହିଛି ମଧ୍ୟ ।
ଏହାବ୍ୟତୀତ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ସେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ତୁଲାଉଥିବା ବେଳେ ବର୍ତ୍ତମାନ ତାହା ସହ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ରଥ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇବେ ।
Comments are closed.