ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଶୁଣିବା ସମୟରେ ଆଜି ଜଣେ ଅଭିଯୋଗକାରୀଙ୍କ ଉପରେ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କୁ ତାଗିଦ୍ ବି କରିଥିଲେ ।
ପ୍ରକୃତରେ ଆଜି ଅଭିଯୋଗ ଶୁଣାଣୀ ସମୟରେ ଜଗବନ୍ଧୁ ପଣ୍ଡା ନାମକ ଜଣେ ବୟସ୍କ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ନିଜର ଅଭିଯୋଗ ଶୁଣାଇଥିଲେ । ଏହି ସମୟରେ ସେ ଏହା କହିଦେଇଥିଲେ ଯେ ଶେଷରେ ସେ ଆତ୍ମହତ୍ୟା କରିବେ । ଆଉ ଅଭିଯୋଗକାରୀଙ୍କ ମୁହଁରୁ ଆତ୍ମହତ୍ୟା ଶବ୍ଦଟି ଶୁଣୁ ଶୁଣୁ ଯେମିତି ଚିହିଁକି ଉଠିଥିଲେ ମୁଖ୍ୟମନ୍ତ୍ରୀ । କାହିଁକି ସେ ଏଭଳି ଶବ୍ଦ ପ୍ରୟୋଗ କରିଥିଲେ ବୋଲି କହି ଅଭିଯୋଗକାରୀଙ୍କୁ ତାଗିଦ୍ କରିଥିଲେ । କହିଥିଲେ, ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି । ଆତ୍ମହତ୍ୟା କଥା କାହିଁକି କହୁଛନ୍ତି । ମୁଁ ଅଛି ନ୍ୟାୟ ଦେବାକୁ । ଗୋଟିଏ ତ କଥା ଜାଣିଛ ଆତ୍ମହତ୍ୟା କରିବ….ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ । ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍ ନିଶ୍ଚୟ ପାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏନେଇ ଯେତେବେଳେ ଅଭିଯୋଗକାରୀଙ୍କୁ ପଚରା ଯାଇଥିଲା, ସେ କହିଥିଲେ, ଅଭିଯୋଗ କରିବା ବେଳେ କହୁ କହୁ କହିଦେଲି । ମୋ ସ୍ତ୍ରୀ ପାରାଲିସିସ, ପୁଅ ଭିନ୍ନକ୍ଷମ….୫,୬ ହଜାର ଦରମାରେ ଚଳିବା ମହାକଷ୍ଟ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲି । କହିଲି, ନବୁଝିଲେ ଆଉ ବଞ୍ଚିକି ଲାଭ ନାହିଁ, ଆତ୍ମହତ୍ୟା କରିବି । ଯାହାକୁ ଶୁଣି ମୁଖ୍ୟମନ୍ତ୍ରୀ ରାଗିଗଲେ । ମୋତା ବୁଝାଇଲେ, ମୋ କଥା ବୁଝିବେ ବୋଲି ପ୍ରତିଶ୍ରୁତି ବି ଦେଲେ ।
Comments are closed.