ଭୁବନେଶ୍ବର: ଦିନଟିଏ ବଢିଲା କ୍ଷୟକ୍ଷତି ଆବେଦନ ତାରିଖ। ଏନେଇ ନିଷ୍ପତ୍ତି ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଦିନିଆ ଲଘୁଚାପ ବର୍ଷା କାରଣରୁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି କ୍ଷୟକ୍ଷତି ଆବେଦନ ନିମନ୍ତେ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ଆଜି ଏହି ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତାକାଲି ଅର୍ଥାତ ସୋମବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର।
ସେହିପରି କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିବା ବେଳେ ଏହା ବୃଦ୍ଧି ପାଇଁ ଯୋଜନା ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଫସଲହାନୀର ସ୍ଥିତି ଦେଖିଥିଲେ। ଏହି ସମୟରେ ଆବେଦନ ଅବଧିକୁ ଆଉ ଦିନେ ବଢ଼ାଇବାକୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସଠିକ୍ ଆକଳନ ପରେ କ୍ଷତିପୂରଣ ମିଳିବା ନେଇ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀମାନେ ବୀମାଭୁକ୍ତ ନଥିଲେ ମଧ୍ୟ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରକାଶ ଥାଉକି।, ଅଦିନିଆ ଲଘୁଚାପ ବର୍ଷାରେ ଚାଷ ବହୁଳ ମାତ୍ରାରେ କ୍ଷତି ହୋଇଛି। କ୍ଷତିଗ୍ରସ୍ତ ଚାଷକୁ ନେଇ ତେଜିଛି ରାଜନୀତି। ଆଜି ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡରେ ବୁଲିବା ପରେ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ। ସେହିପରି ୩୧ ତାରିଖରେ ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଶ୍ରୀ ପଟ୍ଟନାୟକ। ଅନ୍ୟପକ୍ଷରେ ଦୁଇ ଦଳର ନେତା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକୁ ରାଜନୀତି ନକରି, ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବୀମା ପଞ୍ଜୀକରଣ ଅବଧିକୁ ଆଉ ତିନି ଦିନ ବଢାଇବାକୁ ଦାବି କରିଛି କଂଗ୍ରେସ ।
Comments are closed.