ଭୁବନେଶ୍ବର: ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବେ ଏବଂ ସେଗୁଡିକର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କିପରି ରହିବ, ସେନେଇ ଏକ ସୁଚିନ୍ତିତ ମତାମତ ପାଇଁ ଏହି ଟାସ୍କଫୋର୍ସ ଗଠନ କରିଛନ୍ତି ସରକାର । ଯାହା ଗଠନ ହେବାର ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ।
ଏହି ଟାସ୍କଫୋର୍ସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ମୋଟ ୯ ଜଣ ସଦସ୍ୟ ଅଛନ୍ତି । ନବରଙ୍ଗପୁର, କନ୍ଧମାଳ ସାଂସଦଙ୍କ ସହ ଦିଗପହଣ୍ଡି, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ପଟାଙ୍ଗୀ ବିଧାୟକ ମଧ୍ୟ ଏଥିରେ ସଦସ୍ୟ ରହିଛନ୍ତି । ଏହାସହିତ ୩ ଜଣ ପୂର୍ବତନ ଅଧିକାରୀ ଦକ୍ଷିଣ ଡିଭିଜନର ଆରଡିସି, କେନ୍ଦ୍ର ଡିଭିଜନର ଆରଡିସି ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ସଦସ୍ୟ ଭାବେ ଏହି ଟାସ୍କଫୋର୍ସରେ ଅଛନ୍ତି ।
Comments are closed.