Latest Odisha News

BREAKING NEWS

କୁଏତ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ଆଜି ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବ ୨ ଓଡିଆଙ୍କ ମୃତଦେହ

ଭୁବନେଶ୍ୱର: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକମାନେ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। ସେହିପରି ସନ୍ତୋଷ ଗୌଡ଼ ଗଞ୍ଜାମ ଜିଲ୍ଲାର ବାସିନ୍ଦା।

ତେବେ ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟିଛି। ଏଥିରେ ୨ ଓଡ଼ିଆ ପୁଅ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ସୂଚନା ଥାଉକି ବୁଧବାର ରାତିରେ କୁଏତ ସହରର ଅଲ-ମଙ୍ଗଫ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଠିତ ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। କୁଏତରେ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି। ସମସ୍ତେ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ । ସମସ୍ତ ମୃତକମାନଙ୍କ ବୟସ ୨୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ସମସ୍ତେ ଶୋଇଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା।

ପ୍ରକାଶ ଥାଉକିଯେ, ଆଜି ସକାଳ ପ୍ରାୟ ୧୦.୩୦ ସମୟରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ମୃତଦେହ ନେଇ ଆସିଥିବା ବାୟୁସେନା ବିମାନ। ଅପରାହ୍ନ ୪ଟାରେ ଏହା ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସେଠାରୁ ସନ୍ଧ୍ୟାରେ ଦୁଇ ଓଡିଆଙ୍କ ମୃତଦେହ ଓଡିଶାକୁ ପଠାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.