Latest Odisha News

ରଥଯାତ୍ରା: ତୃଟିଶୂନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି। ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ। ତାଙ୍କ ରଥଯାତ୍ରାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା।

ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ ।ସମସ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସୁରୁଖୁରରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏ ବର୍ଷ ଏକ ବିରଳ ରଥଯାତ୍ରା । ଏହି ଅବସରରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଖୁସି ପ୍ରକାଶ କରି କହିଥିଲେ ଯେ ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଯାଇଛି।

ଏହି ବୈଠକରେ  ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀଙ୍କ ସହ ମହାପ୍ରଭୁଙ୍କ ସେବାୟତମା‌ନ‌େ ଉପସ୍ଥିତ ଥିଲେ।

Leave A Reply

Your email address will not be published.