GST Reforms: କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଖସିଲା GST, ମୁଖ୍ୟମନ୍ତ୍ରୀ କହିଲେ, ‘ତୋଳାଳି ଉପକୃତ ହେବେ, ବିକ୍ରି ବଢିବ’
ଭୁବନେଶ୍ବର/ନୂଆଦିଲ୍ଲୀ: ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଯାହା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ପ୍ରେସମିଟ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଏସଟି ପରିଷଦର ସଦ୍ୟତମ ସଂସ୍କାରକୁ ସ୍ୱାଗତ କରି ଏହାକୁ ଚାଷୀ, ଏମ୍ଏସଏମଇ, କ୍ଷୁଦ୍ର ବ୍ୟବସାୟୀ ଏବଂ ମଧ୍ୟବିତ୍ତ ପରିବାର ପାଇଁ ପ୍ରତ୍ୟକ୍ଷ ଲାଭ ବୋଲି କହିଛନ୍ତି। ଏଥିସହିତ କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବଢ଼ିବ । ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସ୍ଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ରକ୍ଷାକାରୀ ଏବଂ ସାଧାରଣତଃ ବ୍ୟବହୃତ ଔଷଧ ଉପରେ ହାର ହ୍ରାସ ଚିକିତ୍ସାକୁ ଅଧିକ ସୁଲଭ କରିବ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବ।
ତେବେ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଂସ୍କାରଗୁଡ଼ିକ ନାଗରିକମାନଙ୍କୁ ମୂଳରେ ରଖେ । ଜୀବନଧାରଣର ସହଜତା, ବ୍ୟବସାୟ କରିବାର ସହଜତା ଏବଂ ୨୦୪୭ ସୁଦ୍ଧା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାକୁ ତ୍ୱରାନ୍ୱିତ କରିବ । ଏଥିସହିତ ସେ କ୍ଷୁଦ୍ର ଏବଂ ନିମ୍ନ-ବିପଦପୂର୍ଣ୍ଣ ବ୍ୟବସାୟ ପାଇଁ ସରଳୀକୃତ GST ପଞ୍ଜିକରଣ ଯୋଜନାକୁ ପ୍ରଶଂସା କରି କହିଥିଲେ ଯେ ଏହା ଅନଲାଇନ୍ ପଞ୍ଜିକରଣକୁ ଅସୁବିଧାମୁକ୍ତ କରିବ, ଅନୁପାଳନ ଖର୍ଚ୍ଚ ହ୍ରାସ କରିବ ଏବଂ ଛୋଟ ବ୍ୟବସାୟୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଆନୁଷ୍ଠାନିକ ଅର୍ଥନୀତିରେ ଯୋଗଦାନ କରିବାକୁ ଉତ୍ସାହିତ କରିବ। ଏହା କରଦାତା ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସକୁ ମଜବୁତ କରିବ ।
ତେବେ ବୁଧବାର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ନୂତନ ଦର ଅନୁଯାୟୀ, ସମସ୍ତ ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟ ବୀମା, ଅଲଟ୍ରା-ହାଇ ଟେମ୍ପରେଚର କ୍ଷୀର, ପନୀର, ରୁଟି, ପରଟା ଭଳି ଖାଦ୍ୟ ପଦାର୍ଥ ଉପରେ କର ସଂପୂର୍ଣ୍ଣ ଛାଡ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଏବଂ କ୍ୟାନସର, ବିରଳ ଓ ଦୀର୍ଘସ୍ଥାୟୀ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ୩ଟି ଗୁରୁତ୍ୱପୂର୍ଣ୍ଣ ଔଷଧ ମଧ୍ୟ ଶୂନ୍ୟ ଜିଏସଟି ବର୍ଗରେ ଅନ୍ତର୍ଭୁକ୍ତ। ଏଥିସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ଲଗାଇବା ତେଲ, ସାବୁନ, ଶାମ୍ପୁ, ବ୍ରଶ, ପେଷ୍ଟ, ସାଇକେଲ, ଟେବୁଲୱେୟାର, ପାଓ୍ବର ଚଷମା ରୋଷେଇ ସାମଗ୍ରୀ, ଚକଲେଟ, ଶୁଖିଲା ଫଳ, ଛତା, ବାଉଁଶ ଆସବାବପତ୍ର ସବୁଥିରେ ଜିଏସଟି ୫%କୁ ହ୍ରାସ କରାଯାଇଛି । ଏୟାର କଣ୍ଡିସନର, ଟିଭି, ଡିସୱାଶର, ସିମେଂଟ, ବସ, ଟ୍ରକ, ଆମ୍ବୁଲାନ୍ସ, ତିନି-ଚକିଆ ଯାନ, ୧୨୦୦ ସିସି ଓ ୪୦୦୦ ଏମ୍ଏମରୁ କମ୍ ଲମ୍ବର ପେଟ୍ରୋଲ, ଡିଜେଲ୍, ହାଇବ୍ରିଡ ଏଲପିଜି ଓ ସିଏନଜି କାର୍, ୧୫୦୦ ସିସିରୁ କମ୍ ଡିଜେଲ୍ ଓ ଡିଜେଲ୍ ହାଇବ୍ରିଡ୍ କାର୍, ତିନିଚକିଆ ଯାନ, ୩୫୦ ସିସିରୁ କମ୍ ମୋଟର ସାଇକେଲ୍, ମେଲବାହୀ ମୋଟର, ଏସବୁ ଉପରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ହାର ହ୍ରାସ ପାଇଛି । ତଥାପି କିଛି ବିଳାସମୟ ସାମଗ୍ରୀ ଏବଂ ତମାଖୁ ଜାତୀୟ ଦ୍ରବ୍ୟ ପାଇଁ ୪୦% GST ସ୍ଲାବ୍ ଲାଗୁ ହେବ । ଏଥିସହିତ ମୋଟରସାଇକେଲ (350cc ରୁ ଅଧିକ ଇଞ୍ଜିନ କ୍ଷମତା), ରେସିଂ କାର ଏବଂ ବାଇକ୍ର୍, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ, ହେଲିକପ୍ଟର ଓ ୟଟ୍ ଆଦିରେ ୪୦% ଟିକସ ଆଦାୟ ହେବ । ଯାହା ସେପ୍ଟେମ୍ବର ୨୨ରୁ ଲାଗୁ ହେବ ।
Comments are closed.