Latest Odisha News

BREAKING NEWS

ବାଲେଶ୍ୱରରେ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ

ବାଲେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ। ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ସହ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇ ଭଉଣୀଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଲେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ସେ ଆଜି ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍‌ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି ବୋଲି ସେ କହିଥିଲେ। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.