Latest Odisha News

BREAKING NEWS

ଲକ୍ଷ୍ମୀ ବସ୍: ସରକାରଙ୍କ ଅର୍ଥ, ବସ୍‌ର ମାଲିକ ବାହାର ରାଜ୍ୟର କମ୍ପାନୀ

ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଲୋଭ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା ।  ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରଚାର  କରିବା ସହିତ ଘରେ ଘରେ ଲକ୍ଷ୍ମୀ ଆସିବେ ବୋଲି କହୁଛନ୍ତି । କିନ୍ତୁ ବାସ୍ତବରେ ଏହି ଯୋଜନାରେ ଘରୋଇ ବ୍ୟବସାୟୀମାନଙ୍କ ପକେଟ୍‌ରେ ଲକ୍ଷ୍ମୀଙ୍କୁ ଯୋଗାଉଛି ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି  । କିନ୍ତୁ ବସ୍‌ର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ, ଯାହା ଏକ ବେଆଇନ କାର୍ଯ୍ୟ । କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସ୍‌ର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନଙ୍କ ହାତକୁ ଗଲା ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଦିଲ୍ଲୀ ହେଉକି ପଶ୍ଚିମବଙ୍ଗ ହେଉ ସବୁ ରାଜ୍ୟରେ ସରକାର କିଣୁଥିବା ବସ୍‌ର ମାଲିକ ନିଜେ ସରକାର ହୁଅନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର ସେହି ବାହାର ରାଜ୍ୟର କମ୍ପାନୀମାନଙ୍କୁ ବସ୍‌ର ମାଲିକାନା ଦେଲେ, ବସ୍‌ର ସମ୍ପୂର୍ଣ୍ଣ ଭଡା ବି ଦେଲେ ତାହାଲେ ଲୋକଙ୍କଠାରୁ ଆଉ କାହିଁକି ଭଡା ଆଦାୟ କରାଯାଉଛି । ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ପୂର୍ବରୁ ଓଏସ୍‌ଆରଟିସି ଯେଉଁ ୩୮୧ରୁ ଅଧିକ ବସ୍ ଚଳାଉଥିଲା । ସେ ସବୁ ବସ୍‌ର ମାଲିକାନା ଆଜିବି ଓଏସ୍‌ଆରଟିସି ପାଖରେ ଅଛି । କିନ୍ତୁ ଏବେ ଲକ୍ଷ୍ମୀ ବସ୍ ଯୋଜନାରେ କିଣାଯାଇଥିବା ୧୭୪୫ଟି ବସ୍‌ର ମାଲିକାନା କାହିଁକି ଘରୋଇ କମ୍ପାନୀମାନଙ୍କ ପାଖରେ ରହିଲା ଏହା ଉପରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନିଲ କହିଛନ୍ତି ଯଦି ସରକାରଙ୍କର ନିଜ ନାଁରେ ବସ୍ କିଣିବାର ନଥିଲା ତାହାଲେ ସରକାର ଲକ୍ଷ୍ମୀବସ୍‌କୁ ପରିଚାଳନା କରୁଥିବା ମିଶନଶକ୍ତି ନାଁରେ କିଣିପାରିଥାନ୍ତେ । ଏଭଳି କି ଓଡ଼ିଶାର ଶହ ଶହ ଘରୋଇ ବସ୍ ଚଳାଚଳ କରୁଥିବା ସଂସ୍ଥାମାନଙ୍କୁ କାହିଁକି ଲକ୍ଷ୍ମୀବସ୍ ଯୋଜନାର ପରିଚାଳନା ଦାୟିତ୍ୱ ନଦିଆଯାଇ ବାହାର ରାଜ୍ୟର ଟ୍ରାଭେଲ୍ସ ଏଜେନ୍ସୀମାନଙ୍କୁ ଦିଆଗଲା ଯାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ସରକାର ଅଣଓଡିଆ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । ଲକ୍ଷ୍ମୀ ବସ୍ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟୀ ଠିକା ପାଇଛନ୍ତି । ଅର୍ଥାତ୍ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ନଥିଲା ।

ଲକ୍ଷ୍ମୀ ବସ୍ ଯୋଜନାରେ ହୋଇଥିବା ଘୋଟାଲା ଦିଲ୍ଳୀର ଅବକାରୀ ଦୁର୍ନୀତି, ଲାଲୁ ଯାଦବଙ୍କ ଚାରା ଘୋଟାଲାଠାରୁ ବଡ ଦୁର୍ନୀତି ଓ ସରକାରୀ ନିୟମର ଉଲଘଂନ କରି କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏ ପୂରା ଦୁର୍ନୀତିରେ ଲୋକାୟୁକ୍ତ ଏବଂ ଇଡି ନିଜ ଆଡୁ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ପୂରା ଦୁର୍ନୀତି ଉପରୁ ପରଦା ହଟାଇବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

 

Leave A Reply

Your email address will not be published.