Latest Odisha News

BREAKING NEWS

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ; ଗୋଟିଏ ସମୟରେ ୨ଟି ବିପଦ, ପ୍ରଶାସନକୁ କରନ୍ତୁ ସହଯୋଗ

ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଏକା ସମୟରେ ଦୁଇଟି ବଡ଼ ବିପଦର ସାମନା କରୁଛୁ ଗୋଟିଏ କୋଭିଡ୍ ଓ ଅନ୍ୟଟି ବାତ୍ୟା ‘ୟଶ’ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରଣରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସନ୍ତୁ । କୋଭିଡ୍ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରଣରେ ପ୍ରଶାସନକୁ ପୂରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ୍ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି, ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ । ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି ।

ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ୍  ବିରୋଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ୟଶ’ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଏକ ସମୟରେ ଦୁଇ ଦୁଇଟି ବଡ଼ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ୍ ସହ ବାତ୍ୟା ଅମ୍ଫାନର ସାମନା କରିଥିଲେ ଏବଂ ଲୋକଙ୍କ
ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି ।

ଓଡ଼ିଶା ପାଇଁ ବାତ୍ୟା ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ । ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଓ କୋଭିଡ୍ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜଭୁତ୍ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ୍ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମସ୍ତେ ସରକାରଙ୍କୁ ପୂରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୋଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.