Latest Odisha News

BREAKING NEWS

ଝାରସୁଗୁଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ କାର୍ଡ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ଆଜି ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ । ଝାରସୁଗୁଡା ସମେତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛି ।

ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ୱାରା ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ ।

ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପାର୍ବତୀଗିରି ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି । ଝାରସୁଗୁଡ଼ା ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଝାରସୁଗୁଡାରେ ନିର୍ମାଣଧୀନ ୧୦୦ ଶଯ୍ୟା ବିଶିଷ୍ଟ ହୃଦରୋଗ ଚିକିତ୍ସାଳୟର ନିର୍ମାଣ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ମିଳିପାରିବ । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା କରାଇପାରିବେ ଲୋକ ।

Leave A Reply

Your email address will not be published.