Latest Odisha News

BREAKING NEWS

ଖୁବ୍‌ଶୀଘ୍ର ୨ ହଜାରରୁ ଅଧିକ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ ହେବ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସୁଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କଟକ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କରିବା ପାଇଁ କାମ ଆରମ୍ଭ ହୋଇଛି । ଏସ୍‌ସିବି ସହ ନୂଆକରି ରାଜ୍ୟ ସରକାର ଗଢ଼ିଥିବା ୯ଟି ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ନେଇ ମଧ୍ୟ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ୫ଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ ହଜାରରୁ ଅଧିକ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ।

ଝାରସୁଗୁଡାରେ କାର୍ଡିଆକ୍‌ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିଟି କଂପ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ଲିନାକ ବ୍ଲକ୍‌, କ୍ୟାପିଟାଲ୍‌ ହସ୍‌ପିଟାଲର ବିକାଶ ତଥା PGI ଭାବରେ ଗଢିବା ଏବଂ ବରଗଡ଼ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜ ଗୁଡିକର ଅଧ୍ୟାପକ ପଦବୀ ତଥା ସ୍ୱାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଉପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଧାରଣ ଲୋକ ଯେପରି ଅଧିକରୁ ଅଧିକ ସୁବିଧା ପାଇପାରିବେ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.