Latest Odisha News

୫ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ଚତୁର୍ଥ ପର୍ଯ୍ୟାୟରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତର ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ସୁଦ୍ଧା ୫୩୧ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ । ୨୪ ନଭେମ୍ବର ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଜି ସୁଦ୍ଧା ୫୩୧ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସ୍କୁଲ ରୂପାନ୍ତର 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ । ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତଦେଇ କହିଛନ୍ତି, ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।

5T ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତର ହେଉଛି ଆମର 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । 5T ହେଉଛି- ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ୱଚ୍ଛତା ହେଉଛି 5Tର ସବୁଠାରୁ ବଡ଼ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ। ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । ଭାରତୀ ସାହୁ, ସୌମ୍ୟଶ୍ରୀ ବଡପଣ୍ଡା ଭାଗ୍ୟ ଲକ୍ଷ୍ମୀ ପ୍ରଧାନ, ସ୍ମରଣିକା ପଟନାୟକ, ଓ ସରସ୍ୱତୀ ସାହୁ ପ୍ରମୁଖ ଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ରୂପାନ୍ତର ଆମ ପାଇଁ ସୁଯୋଗ ଆଣିଛି । ତାର ସଦ୍ ବ୍ୟବହାର କରିବୁ ଓ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ କରିବୁ । ଏହାସହିତ ସୋମାନଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଜଗନ୍ନାଥ ସାରକା, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ, ରାଜେନ୍ଦ୍ର ଢୋଲକିଆ ଓ ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

Comments are closed.