Latest Odisha News

BREAKING NEWS

ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଚିବାଳୟରେ ଏକ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ମେଗା ଲିଫ୍ଟ ଜଳସେଜନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପର ଆଜି ୪୧ଟି ପଏଣ୍ଟ ଉଦ୍ଘାଟିତ ହେବା ସହିତ ଏହା ଦ୍ୱାରା ପ୍ରାୟ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ମିଳିପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଯେ କୃଷି ବିକାଶରେ ଜଳସେଚନର ଭୂମିକା ହେଉଛି ସବୁଠାରୁ ବଡ ଓ ଆଗାମୀ ୨୦୧୯ ସୁଦ୍ଧା ୧୦ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଏଯାଏଁ ବର୍ତ୍ତମାନ ସୁଦ୍ଧା ୭ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳଯୋଗାଣ ସୁବିଧା କରାଯାଇପାରିଛି । ଏଥିସହିତ ଖୁବ୍ ଶୀଘ୍ର ଆଉ ୩ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା କରାଯିବ’ ।

ରାଜ୍ୟରେ ଉଚା ଜମି ଅଞ୍ଚଳରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ବହୁତ ଲୋକପ୍ରିୟ ହୋଇପାରିଛି । ଏଣୁ ଚାଷୀମାନେ ଯେପରି ଏହାର ଅଧିକ ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟସରକାର ଚେଷ୍ଟା କରିବା ସହ ଆଗାମୀ ୫ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ଯୋଜନା ଅଧିନରେ ୨ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜିର ୪୧ଟି ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାର ୫୦,୦୨୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିଛି । ଜିଲ୍ଲାଗୁଡିକ ମଧ୍ୟରେ ରହିଛି- ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ସୁବର୍ଣ୍ଣପୁର ଆଦି ।

ଅନ୍ୟପକ୍ଷରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ଓ ଏଥିସହିତ ଚିଫ ଇଞ୍ଜିନିୟର, ମେଗାଲିଫ୍ଟ କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଢ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସେଚନ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.