Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି

ଭୁବନେଶ୍ବର : ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି । ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ, ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ । ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସ୍ବାଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ । ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ । ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି । ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ । ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ । ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ । କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ । ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ । ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ । ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର । ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା । ମୋର ପୂରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ । ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି । ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି । କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି । ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ।

Comments are closed.