Latest Odisha News

BREAKING NEWS

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ଏହାସହ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ ହୋଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବାତ୍ୟାରେ ମୋଟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ ପ୍ରଶାସନ କାମ କରିଥିଲା ଏବଂ ଏଥିରେ ସଫଳ ହୋଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟାରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା ହେବ । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି କହିଛନ୍ତି ଏସଆରସି ।

ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ଦେବାକୁ କୁହାଯାଇଛି । ଏହି ବୈଜ୍ଞନିକ ମାନେ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ।

ବାତ୍ୟା ୟାସରେ ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି । ୨୩୦ଟି ଟ୍ରାନ୍ସଫର୍ମର ବଦଳାଯାଇ ନୂଆ ଟ୍ରାନ୍ସଫର୍ମର ଲଗାଯିବ । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ଦର୍ଶାଯାଇଛି । ସେହିପରି ପଞ୍ଚାୟତିରାଜ ବିଭାଗ କହିଛି, ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୁତୟନ କରାଯାଇଥିଲା । ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଛି । ମେ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସକୁ ବିଶୋଧନ କରାଯାଇଛି । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ କ୍ଷତି ହୋଇଛି । ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା । ବାତ୍ୟା ପରେ ଗଛ କାଟି ତୁରନ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଇଥିଲା । ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା ହେବ ବୋଲି କହିଛି ପୂର୍ତ୍ତ ବିଭାଗ । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ଦର୍ଶାଇଛି ।

Leave A Reply

Your email address will not be published.