Latest Odisha News

BREAKING NEWS

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଆସନ୍ତାକାଲି ଅଷୟତୃତୀୟା । କାଲିଠାରୁ ଚାଷ କାମ ଅନୁକୂଳ କରିଥାଏ ଚାଷୀ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଆଜି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା ଟ୍ରାନ୍ସଫର କରିଛନ୍ତି । ରାଜ୍ୟର ଛୋଟ ଚାଷୀ, ନାମକୁ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀଙ୍କ ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ । ମୋ ରାଜ୍ୟର ଚାଷୀ, ଭଲରେ ରହୁ । ତା’ର ରୋଜଗାର ବଢୁ, ତା’ ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି ।

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ଆମେ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରର ସାମ୍ନା କରୁଛୁ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ୍ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ନେଇପାରିବେ ।

ସୂଚନାଯୋଗ୍ୟ ଯେ, କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲକ୍ଷ ଲକ୍ଷ ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମିହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ପରିବାରର ରୋଜଗାର ବଢାଇଥାନ୍ତି ।

Leave A Reply

Your email address will not be published.