Latest Odisha News

BREAKING NEWS

ରାଉରକେଲା ଷ୍ଟେସନରେ କୋଭିଡ୍‌ ସତର୍କତା, ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା

ରାଉରକେଲା : ରାଜ୍ୟରେ କମିବାର ନାଁ ନେଉନି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । କିପରି ଏହାର ମୁକାବିଲା କରାଯିବ ସେଥିପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଏହି କ୍ରମରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ନିଆଯାଇଛି ବିଶେଷ ପଦକ୍ଷେପ । ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି । ତାସହ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଯାଞ୍ଚ କରାଯାଉଛି । ଯେଉଁ ଯାତ୍ରୀଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଉଛି, ସେମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଉଛି ।

ଆଣ୍ଟିଜେନ ରିପୋର୍ଟରେ ପଜିଟିଭ ଆସୁଥିବା ବ୍ୟକ୍ତିଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଯାଉଛି । ସେଠାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଉଛି । ଏହାଛଡ଼ା ଯେଉଁ ଯାତ୍ରୀମାନେ ଆରଟିପିସିଆର ରିପୋର୍ଟ ବା ଟିକା ସାର୍ଟିଫିକେଟ ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନିଆ ହୋମ୍ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଉଛି । ତେବେ ସଂପୃକ୍ତ ବ୍ୟକ୍ତିମାନେ ହୋମ୍ ଆଇସୋଲେସନ ନିୟମ ପାଳନ କରୁଛନ୍ତି ନା ନାହିଁ, ଏହାର ତଦାରଖ କରିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟିକୁ ଦାୟିତ୍ୱ ଦେଇଛି ପ୍ରଶାସନ।

ସେହିପରି ଷ୍ଟେସନରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି । ଷ୍ଟେସନରେ ଯେପରି ଗହଳି ନହେବ ସେଥିଲାଗି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ଼ ମହାରାଷ୍ଟ୍ର, କେରଳ, ପଞ୍ଜାବ, ଗୁଜୁରାଟ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

Leave A Reply

Your email address will not be published.