Latest Odisha News

BREAKING NEWS

ମେଟ୍ରୋ ରେଳ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଚାଲିବ ଟ୍ରେନ୍

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଦୈତନଗରୀ ଭୁବନେଶ୍ବର ଓ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାନେ, ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କଟକ ନେତାଜୀ ବ୍ରିଜ୍ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ। ସୂଚନା ମୁତାବକ ଭୁବନେଶ୍ବର ବିମାନବନ୍ଦର ଛକରୁ ଏହାର ଗତିପଥ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବ ବିହାର ହୋଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ରହିବ । ଯେଉଁଥିପାଇଁ ଏଲିଭେଟେଡ୍ କରିଡର କରାଯିବ ।

ସୂଚନାଯୋଗ୍ୟ, ଏଥିପାଇଁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଏକ ସଚିବ ସ୍ତରୀୟ କମିଟି ତାର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ଯେଉଁଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ସାମିଲ ଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ କମିଟିର ସଦସ୍ୟମାନେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ଉପୁଜିପାରେ ଓ ଏହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ ସେନେଇ ଆଲୋଚନା ହେବାସହ ଏଥିପାଇଁ ସରକାରୀ ଜମି ଓ ଆବଶ୍ୟକ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଛି କମିଟି । ଟ୍ରାଫିକ ସମସ୍ୟା ନଉପୁଜିବା ଲକ୍ଷ୍ୟରେ କେଉଁ ସ୍ଥାନରେ ଭୂତଳ ବ୍ୟବସ୍ଥା କରିବାକୁ ହେବ ସେନେଇ ମଧ୍ୟ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଓ କଟକ ଭିତରେ ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।

Leave A Reply

Your email address will not be published.