Latest Odisha News

BREAKING NEWS

ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ମୁକାବିଲାର ସମୀକ୍ଷା କରି ରାଜ୍ୟରେ କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇଛି । ଶୀତ ଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି । ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ ଏମଏସଏମଇ ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଟୀକାକରଣ ପାଇଁ ରାଜ୍ୟରେ ସଂପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି । ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବ ପରି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ଼ ଓ କୋରାପୁଟରେ ସେରୋ ସର୍ଭେ କରାଯିବ । ଜାନୁଆରୀରେ ଭୁବନେଶ୍ବର ଓ କଟକରେ ସେରୋ ସର୍ଭେ ହେବ । ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.