Latest Odisha News

BREAKING NEWS

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାତ୍ମାଗାନ୍ଧୀ ଜଣେ ଦୃଢ ସମର୍ଥକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ପରେ ଏହାକୁ ମାନବତାର ପ୍ରତିମୂର୍ତ୍ତୀ ବା Statue of Humanity ନାମରେ ନାମିତ କରିଥିଲେ।

“ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି । ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର୍ଯ୍ୟରେ ସେ ହିଁ ସବୁବେଳେ ପ୍ରେରଣାର ଉତ୍ସ। ତେଣୁ ସେ ଥିଲେ ମାନବତାର ମହାନ ଉଦ୍‌ଗାତା । ଗୋପବନ୍ଧୁଙ୍କ ମୂର୍ତ୍ତି ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି । ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତର ପ୍ରଥମ ଚରଣରେ କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲ ଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳା (High Relief Mural Sculpture)ର ଲୋକାର୍ପଣ ମଧ୍ୟ କରିଛନ୍ତି।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ।

ତେବେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମନ୍ତ୍ରୀ ପ୍ରତାପ ଜେନା, ଭତୃହରି ମହତାବ, ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.