Latest Odisha News

BREAKING NEWS

ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟ୍ୱିନ ସିଟିର ଟ୍ରାଫିକ୍ ଭିଡ ହ୍ରାସ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି।

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି ।

ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି। ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ଏହି ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱରରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହି ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ ୩୬୬ଟି ପରିବାରକୁ ଥଇଥାନ କରାଯିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Comments are closed.