ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନସିପ -୨୦୨୫। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଫାଇନାଲ୍ ମ୍ୟାଚ୍ ବରଗଡ଼ ଏଫସି ଏବଂ ଭୁବନେଶ୍ୱର ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଏଫସି ଭୁବନେଶ୍ୱର ଏଫସିକୁ ୩-୨ ଗୋଲ୍ ରେ ପରାସ୍ତ କରି ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନସିପ -୨୦୨୫ର ବିଜେତା ହୋଇଛି।
ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ୍ ମ୍ୟାଚ୍ରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ।

ସେ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ର ଆୟୋଜନ କରାଯାଇଥିଲା। ତୃଣମୂଳ ସ୍ତରରୁ ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେହି ଲକ୍ଷ୍ୟରେ ସିଏମ୍ ଟ୍ରଫି ଚାମ୍ପିୟାନସିପ୍ର ଆୟୋଜିତ ହୋଇଥିଲା। ଆଜି ଏହି ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଛି। ବିଜୟୀ ଦଳ ବରଗଡ଼ ଏଫସି ଏବଂ ଏହି ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସିଏମ୍ ଟ୍ରଫି ଚାମ୍ପିୟନସିପ ନିଶ୍ଚିତ ରୂପେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିପାରିଛି। ଏହି ଚାମ୍ପିୟନସିପରୁ ଶ୍ରେଷ୍ଠ ୧୦୦ଜଣ କ୍ରୀଡ଼ାବିତମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିସହିତ ଆଗାମୀ ଦିନରେ ବିଭିନ୍ନ କ୍ରୀଡ଼ା ଯଥା ଆଥଲେଟିକ୍ସ, ବ୍ୟାଡ଼ମିଣ୍ଟନ, ଖୋଖୋ, କବାଡ଼ି, ହକି ଓ ଅନ୍ୟାନ୍ୟ କ୍ରୀଡ଼ାକୁ ମଧ୍ୟ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ରେ ସାମିଲ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର ସିଏମ୍ ଟ୍ରଫି ଚାମ୍ପିୟନସିପର ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ପୁଟବଲ୍ ଆସୋସିଏସନ୍ର ପ୍ରେସିଡେଣ୍ଟ ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ସିଏମ୍ ଟ୍ରଫି ଚାମ୍ପିୟନସିପ ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ ଏହି ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିଛି ଏବଂ ରାଜ୍ୟରେ କ୍ରୀଡ଼ାର ବିକାଶର ଏହି ଜୟଯାତ୍ରା ଆଗକୁ ମଧ୍ୟ ଏହିପରି ଭାବେ ଜାରି ରହିବ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନସିପର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସ ୧୬ ତାରିଖରୁ ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାମାନଙ୍କରେ ରହିଥିବା ବିଭିନ୍ନ ଫୁଟବଲ କ୍ଲବ ଅଂଶଗ୍ରହଣ କରିଥିଲେ। ଏହାପରେ ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍ ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାସ୍ତରରୁ ଚୟନ ହୋଇ ଆସିଥିବା ଦଳକୁ ୪ ଗୋଟି ଜୋନ୍ (ଜୋନ୍- ସମ୍ବଲପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ବ୍ରହ୍ମପୁର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଜୋନାଲ୍ ସ୍ତରୀୟ ପ୍ରତିଯୋଗିତା ସମାପ୍ତ ହେବା ପରେ ସିଏମ୍-ଟ୍ରଫି ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରୁ ଜୋନାଲ୍ ଏବଂ ଜୋନାଲ୍ରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଏହିପରି ଭାବରେ ତିନୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିବାରୁ ବାସ୍ତବରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିଛି।
Comments are closed.