ପୁରୀ: ବେଳେବେଳେ ଘର ଭିତରକୁ ସାପ ପଶିଆସିବା ଶୁଣିବାକୁ ବା ଦେଖିବାକୁ ମିଳିଥାଏ । ହେଲେ ଶୋଇବା ଶେଯରେ ପୁଣି ମଶାରୀ ଭିତରେ ସାପ ! ସେ ପୁଣି ନାଗୁଣୀ? ବାପରେ ! ମାଶରୀ ଭିତରେ ପଶି ଯାଇଥିଲା । ଏପଟ ସେପଟ ହେଉଥିଲା, କିନ୍ତୁ ବାହାରି ପାରୁନଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଖଣ୍ଡି-ଡେଲାଙ୍ଗ ଗ୍ରାମରେ ।
ରବିବାର ରାତି ୧୧ଟା ହେବ । ଗ୍ରାମର ଯଦୁମଣି ମହାନ୍ତି ଘରକୁ ଫେରି କାମ ଦାମ ସାରି ଖାଇ ବସିଥଲେ । ଖାଇସାରି ବିଛଣାକୁ ଯିବେ ଶୋଇବା ପାଇଁ । ହଠାତ ଖଟ ଉପରୁ କିଛି ଖସ ଖସ ଶବ୍ଦ ଶୁଭିଲା । ଶବ୍ଦ ଶୁଣି ଚାହିଁଲା ବେଳକୁ ଖଟରେ ଅଧା ଟଙ୍ଗା ମଶାରୀ ଭିତରେ ଏକ ବିରାଟ ନାଗୁଣୀ । ତାଙ୍କ ପାଦତଳୁ ମାଟି ଯେପରି ଖସିଗଲା । ମଶାରି ଭିତରେ ସାପଟି ଏପାଖ ସେପାଖ ହେଉଛି କିନ୍ତୁ ବାହାରି ପାରୁନି । ଯଦୁମଣି ତୁରନ୍ତ ସ୍ନେକ ହଲ୍ପ ଲାଇନକୁ ଫୋନ କରି ଡାକିଥିଲେ ।
ରାତି ପ୍ରାୟ ୧୨ ଟା ବେଳକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ମଶାରୀ ଭିତରେ ନାଗ ସାପ କୁ ଦେଖିବା ପାଇଁ ଯଦୁମଣିଙ୍କ ଘରେ ସେତେବେଳକୁ ପଡିଶା ଘର ଲୋକ ମାନେ ମଧ୍ୟ ଭିଡ ଜମେଇ ସାରିଲେଣି । ସତର୍କତାର ସହିତ ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗୁଣୀକୁ ବାହାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ସୁଶାନ୍ତ । ସାପଟିକୁ ଗାଁ ବାହାରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ସୁଶାନ୍ତଙ୍କ କହିବା ଅନୁଯାୟୀ, ସାପଟି ଅନେକ ସମୟ ଧରି ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରବା ଯୋଗୁ ମଶାରୀ ଜାଲିରେ ଘଷି ହୋଇ ତାର ମୁହଁ ଖଣ୍ଡିଆ ହୋଇ ଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ଟି ସମ୍ଭବତଃ ଏକ ମୂଷା ପଛର ପିଛା କରୁଥିବା ବେଳେ ମଶାରୀ ଭିତରେ ପଶି ଯାଇଛି, ଆଉ ବାହାରି ପାରି ନାହିଁ । ଯାହା ବି ହେଉ, ଯଦୁମଣି ସାପଟିର ଉପସ୍ଥିତି ଠିକ ସମୟରେ ଜାଣି ପାରିଲେ । ତେଣୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଦୂରେଇ ଦିଆଯାଇ ପାରିଲା ।’
ରାତିରେ ଶୋଇବା ବେଳେ, ଶେଯ ବିଛାଇବା ବେଳେ କିମ୍ବା ମଶାରୀ ଟାଣିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।
Comments are closed.