ନୂଆଦିଲ୍ଲୀ: ସାରା ବିଶ୍ୱରେ ଥଣ୍ଡା ପାନୀୟ ପାଇଁ ପ୍ରସିଦ୍ଧ କମ୍ପାନୀ କୋକା-କୋଲା ୟୁରୋପର ଅନେକ ଦେଶରେ ଏହାର ପାନୀୟ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, ଏହି ପାନୀୟଗୁଡ଼ିକରେ “କ୍ଲୋରେଟ୍” ନାମକ ଏକ ରାସାୟନିକ ପଦାର୍ଥର ମାତ୍ରା ଅଧିକ ଥିବାରୁ ଏହା କରାଯାଇଛି ।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହି ପ୍ରତ୍ୟାହାର ବେଲଜିୟମ, ଲକ୍ସମବର୍ଗ ଏବଂ ନେଦରଲ୍ୟାଣ୍ଡରେ କରାଯାଇଛି । କେବଳ ୫ଟି ଉତ୍ପାଦ ଲାଇନ ୟୁକେକୁ ପଠାଯାଇଥିଲା ଏବଂ ଏଗୁଡ଼ିକ ପୂର୍ବରୁ ବିକ୍ରି ହୋଇସାରିଛି । ରିପୋର୍ଟ ଅନୁସାରେ, କୋକାକୋଲା ଯେଉଁ ପାନୀୟଗୁଡ଼ିକୁ ପ୍ରତ୍ୟାହାର କରିଛି ସେଥିରେ କୋକ୍, ଫାଣ୍ଟା, ସ୍ପ୍ରାଇଟ୍, ଟ୍ରୋପିକୋ ଏବଂ ମିନିଟ୍ ମେଡ୍ ସାମିଲ ରହିଛି ।
ରିପୋର୍ଟ ଅନୁଯାୟୀ, ଯେତେବେଳେ କ୍ଲୋରିନ୍ ବେସ୍ଡ ଡିସ୍ଇନ୍ଫେକ୍ଟାଣ୍ଟ୍ସକୁ ୱାଟର ଟ୍ରିଟ୍ମେଣ୍ଟ ଏବଂ ଫୁଡ୍ ପ୍ରୋସେସିଂରେ ବ୍ୟବହାର କରାଗଲେ କ୍ଲୋରେଟ୍ କେମିକାଲ ବନିଥାଏ । କ୍ଲୋରେଟ୍ ରାସାୟନିକ ପଦାର୍ଥର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ଶରୀରର ହରମୋନ ସନ୍ତୁଳନକୁ ପ୍ରଭାବିତ କରୁଥିବାରୁ, ବିଶେଷକରି ଛୋଟ ପିଲାମାନଙ୍କଠାରେ ଥାଇରଏଡ୍ ରୋଗ ସୃଷ୍ଟି କରିପାରେ । ଯଦି ଥଣ୍ଡା ପାନୀୟରେ କ୍ଲୋରେଟର ପରିମାଣ ଅଧିକ ଥାଏ, ତେବେ ଏହା ବାନ୍ତି, ଝାଡ଼ା ଏବଂ ରକ୍ତର ଅମ୍ଳଜାନ ଶୋଷଣ କରିବାର କ୍ଷମତା ହ୍ରାସ କରିପାରେ । ଏହାର ଅତ୍ୟଧିକ ସେବନ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।
ବ୍ରିଟେନ୍ ଖାଦ୍ୟ ମାନକ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, କୋକାକୋଲାର ଏହି ମାମଲାର ଯାଞ୍ଚ କରାଯାଉଛି । ଯଦି ଏଥିରେ କୌଣସି ଅସ୍ୱାସ୍ଥ୍ୟକର ପଦାର୍ଥ ମିଳେ, ତେବେ ଜରୁରୀ ପଦକ୍ଷେପ ନିଆଯିବ । ଏଥିସହ କୋଲ୍ଡ ଡ୍ରିଙ୍କ୍ସରୁ ଏପରି ପଦାର୍ଥକୁ ହଟାଯିବାକୁ ନିର୍ଦ୍ଦେଶ ଜାରି ହେବ । ଗ୍ରାହକଙ୍କୁ ମଧ୍ୟ ଏ ବାବଦରେ ସୂଚନା ଦିଆଯିବ ।
ଏ ସମ୍ପର୍କରେ, କୋକା-କୋଲା କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ ବ୍ରିଟେନରେ କୌଣସି ଗ୍ରାହକଙ୍କ ଠାରୁ ସ୍ୱାସ୍ଥ୍ୟ ଖରାପ ହେବାର କୌଣସି ଅଭିଯୋଗ ପାଇନାହିଁ ଏବଂ ଏହା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଛି ଏବଂ ସେମାନଙ୍କ ସହିତ ସହଯୋଗ ଜାରି ରହିବ । ଏହି ଘଟଣାର ମଧ୍ୟ ତଦନ୍ତ କରାଯାଉଛି ।
Comments are closed.