ଭୁବନେଶ୍ବର: ପୁଣି ଶୀତରେ ଥରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ଶୀତର ପରିମାଣ କମିଥିବା ବେଳେ ରାତି ତାପମାତ୍ରା ଧୀରେ ଧୀରେ ବଢିଛି । ହେଲେ ଆସନ୍ତା ୧୭ରୁ ପୁଣି ଶୀତର ପ୍ରକୋପ ବଢ଼ିବ । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତର ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି ବୋଲି ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ ।
ଏନେଇ ପାଣିପାଗ ବିଭାଗ କହିଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର । ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିଆସିବ । କିଛି କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।