ଭୁବନେଶ୍ବର: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ । ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ ସୁନ୍ଦରଗଡକୁ ଶୀତୁଆ ପବନ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ । ଏହାପରେ ୨ ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଇଏମଡି ।
ଏଥିସହିତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପ ସାଗରରୁ ରାଜ୍ୟ ମଧ୍ୟକୁ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଆଦ୍ରତାର ପରିମାଣ ରହୁଛି। ଫଳରେ ଆକାଶ ମେଘୁଆ ସହ କିଛି କିଛି ସ୍ଥାନରେ କାଁଭାଁ ବର୍ଷା ସମ୍ଭାବନା ରହିଛି । ଏନେଇ ଆସନ୍ତା ୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା । ଏହାପରେ ପୁଣି ୨୦ ତାରିଖ ପରଠୁ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ।
ତେବେ ଗତ ୨୪ ଘଣ୍ଟାରେ କିଛିକିଛି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ସହ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ରାଉଲକେଲାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଛି। ପାହାଡ଼ିଆ ଅଂଚଳ ଜି ଉଦୟଗିରିରେ ୫.୨ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪ ଓ କଟକରେ ୧୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।