Latest Odisha News

BREAKING NEWS

ବିଦାୟୀ ଅଭିଭାଷଣ ସମାରୋହରେ ଚିର ବିଦାୟ ନେଲେ ଯୁବତୀ, ସମସ୍ତେ ହତବାକ

ମୁମ୍ବାଇ: ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଆରଜି ସିନ୍ଦେ କଲେଜରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଶନିବାର ଦିନ ବିଦାୟୀ ସମାରୋହରେ ଭାଷଣ ଦେଉଥିବା ବେଳେ ୨୦ ବର୍ଷୀୟା ବିଏସସିର ଶେଷ ବର୍ଷ ଛାତ୍ରୀ ବର୍ଷା ଖରାଟଙ୍କର ଅଚାନକ ମୃତ୍ୟୁ ଘଟିଛି।

ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଶାଢ଼ୀ ପିନ୍ଧିଥିବା ବର୍ଷା ଭାଷଣ ଦେଉଛନ୍ତି। ସେ ଉପସ୍ଥିତ ଶ୍ରୋତାଙ୍କ ସହ ଏକ ହାଲୁକା ମୁହୂର୍ତ୍ତ ମଧ୍ୟ ସେୟାର କରୁଥିଲେ । ଏହି ସମୟରେ ହଠାତ୍ ତାଙ୍କ କଥା ଧୀର ହୋଇଗଲା ଏବଂ ସେ ମଞ୍ଚ ଉପରେ ଟଳି ପଡ଼ିଲେ।

ସହପାଠୀ ଓ ଶିକ୍ଷକମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ‘ଆଣିବା ସମୟରେ ମୃତ’ ଘୋଷଣା କରିଥିଲେ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁସାରେ, ବର୍ଷାଙ୍କ ମାମୁଁ ଧନାଜୀ ଖରାଟଙ୍କ କହିବା ଅନୁଯାୟୀ, ତାଙ୍କର ହୃଦ ରୋଗ ସମସ୍ୟା ରହିଥିଲା ଏବଂ ପ୍ରାୟ ସାତ ବର୍ଷ ପୂର୍ବେ ତାଙ୍କର ବାଇପାସ ସର୍ଜରୀ ହୋଇଥିଲା। “ହୃଦ୍‌ରୋଗ ଅସ୍ତ୍ରୋପଚାର ପରେ ସେ ଔଷଧ ଖାଉଥିଲେ। ଶୁକ୍ରବାର ଦିନ କଲେଜ ଯିବା ପାଇଁ ତାଙ୍କୁ ତରବର ହେବାରୁ ସେ ନିଜର ଔଷଧ ଖାଇ ନଥିଲେ,”।

କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ବର୍ଷା ଏକ ଗରିବ ପରିବାରରୁ ଆସିଥିଲେ, ତାଙ୍କ ବାପା, ମା ବିଲରେ କାମ କରୁଥିଲେ। ସେ ଜଣେ ଭଲ ଛାତ୍ରୀ ଥିଲେ ଏବଂ ନିଜେ ଓ ତାଙ୍କ ପରିବାର ପାଇଁ ବଡ଼ ସ୍ବପ୍ନ ଦେଖିଥିଲେ। ତାଙ୍କ ମୃତ୍ୟୁର ନିଶ୍ଚିତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, କିନ୍ତୁ ଭାଷଣ ଦେଉଥିବା ସମୟରେ ତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିବା ସମ୍ଭାବନା ରହିଛି।

Comments are closed.