Latest Odisha News

BREAKING NEWS

ବନ ବିଭାଗ ଆସିବା ପୂର୍ବରୁ ନିଆଁ ଲିଭାଇଲେ କଲେଜ୍ ପିଲା

ସମ୍ବଲପୁର: ଜଙ୍ଗଲ ଜଳିବା ପାଇଁ ସବୁବେଳେ ମଣିଷକୁ ଦାୟୀ କରାଯାଉଛି । ହେଲେ  ଏଠି ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଏଠି  ମଣିଷ ଜଙ୍ଗଲ ନିଆଁ ଲିଭାଉଛି । ଆଜି ଦିନ ପ୍ରାୟ ଗୋଟେ ୪୫ ମିନିଟରେ  ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ରେଞ୍ଜର  ବାଟଗାଁ ହାୟର ସେକେଣ୍ଡାରୀ ସ୍କୁଲ ପଛପଟେ ଥିବା ଗ୍ରାମ୍ୟ ଜଙ୍ଗଲରେ  ନିଆଁ ଲାଗି ଯାଇଥିଲା । ବନ ବିଭାଗକୁ ଖବର ଦିଆଯିବା ପରେ, ସ୍ଥାନୀୟ ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି ଦୁଇଟି ବ୍ଲୋୟର ମେସିନ ସହିତ ନିଆଁ ଲିଭାଇବା ପାଇଁ ଷ୍ଟାଫ୍ ଧରି କାମ ଆରମ୍ଭ କଲେ । ଜଙ୍ଗଲ ଭିତରେ ପ୍ରାୟ ୫୦ ମିଟର ଖଣ୍ଡେ ବ୍ଲୋୟର ମେସିନ ସଫା କରି କରି ପହଞ୍ଚିବା ବେଳକୁ ଯାହା ଦେଖିଲେ ସେଥିରେ ମିରି ଅଭିଭୂତ ହୋଇଗଲେ ।

ବାଟଗାଁ ହାୟାର ସେକେଣ୍ଡାରୀ ସ୍କୁଲର ଯୁକ୍ତ ଦୁଇ ଶ୍ରେଣୀର ୧୫ ଜଣ ଛାତ୍ର ହାତରେ ସବୁଜ ଡାଳ ଧରି ଗଛ ମୂଳରୁ ଶୁଖିଲା ପତ୍ର ସଫା କରିବା ସହିତ ନିଆଁ ଲାଗିଥିବା ବୁଦା ଗୁଡିକୁ ବାଡେଇ ବାଡେଇ ଚାଲିଛନ୍ତି । ସେମାନଙ୍କ ନେତୃତ୍ୱ ନେଉଥିଲେ ତାଙ୍କରି ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ । ପ୍ରାୟ ୩୦% ନିଆଁ   ଯୁକ୍ତ ଦୁଇ ଛାତ୍ରମାନେ  ଲିଭେଇ ସାରିଥିଲେ । ଯାହାଫଳରେ ଜଙ୍ଗଲରେ ନିଆଁ  ବ୍ୟାପି ପାରି ନଥିଲା । ଫଳରେ  ବନ ବିଭାଗକୁ ବାକି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସହଜ ହୋଇଥିଲା । ଦିନ ପ୍ରାୟ ଦୁଇଟା ୨୦ ମିନିଟ ବେଳକୁ ଅର୍ଥାତ୍ ୩୦ ମିନିଟ ଭିତରେ ସମ୍ପୂର୍ଣ୍ଣ ନିଆଁକୁ ଆୟତ୍ତ କରି ପାରିଥିଲେ ବନ ବିଭାଗ ।

ଏହି ଗ୍ରାମ୍ୟ ଜଙ୍ଗଲରେ  ପ୍ରାୟ ୨୦ ହେକ୍ଟରର ଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ରହିଛି । ଏଥି ସହିତ   ଭାଲୁ, ଠେକୁଆ, ମୟୂର ଆଦି ଅନେକ ପ୍ରଜାତିର ସାପ ବସବାସ କରିଥାନ୍ତି । ଯଦି ଆଜି ଏହି ନିଆଁ  ବ୍ୟପି ଯାଇଥାନ୍ତା, ତେବେ ଅନେକ କ୍ଷୟ କ୍ଷତି ହେବା ନିଶ୍ଚିତ ଥିଲା। ହେଲେ,ଏହି କଲେଜ ଛାତ୍ର  ଏବଂ ତାଙ୍କ ଅଧ୍ୟାପକଙ୍କ ଠିକ୍ ସମୟର ଠିକ୍ ଭୂମିକା ନିର୍ବାହ ଯୋଗୁଁ ନିଆଁ ଧାସରେ ଉଜୁଡ଼ିବାକୁ ଯାଉଥିବା ବାଟ ଗାଁ ଗ୍ରାମ୍ୟ ଜଙ୍ଗଲ   ରକ୍ଷା ପାଇଗଲା । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଲୋକମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ଫରେଷ୍ଟ ଗାର୍ଡ ଚିତ୍ତ ରଂଜନ ମିରି କହିଛନ୍ତି ।

ଅନ୍ୟପକ୍ଷେ  ସ୍କୁଲର ରାଜନୀତି ବିଜ୍ଞାନ ଅଧ୍ୟାପକ କହିଛନ୍ତି “ନିଆଁ ଲିଭାଇବା କାମ କେବଳ ବନ ବିଭାଗର ନୁହେଁ । ଆମେ ଯଦି ଅପେକ୍ଷା କରି ରହି ଥାଆନ୍ତୁ ତାହେଲେ ନିଆଁ ଅଧିକ ବ୍ୟାପି ଯାଇଥାନ୍ତା । ସଚେତନ ନାଗରିକ ହିସାବରେ ଏଇଟା ଆମର କର୍ତ୍ତବ୍ୟ  । ମୁଁ ସେଇଟା ମୋର ଛାତ୍ର ମାନଙ୍କୁ ଶିକ୍ଷା ଦେଇଛି ମାତ୍ର” ।

Leave A Reply

Your email address will not be published.