ରତଲାମ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏକ ହସ୍ପିଟାଲର ଦାଦାଗିରି ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଟଙ୍କା ହଡପ କରିବା ପାଇଁ ସାମାନ୍ଯ ଆହତ ରୋଗୀଙ୍କୁ ଜବରଦସ୍ତି ଆଇସିୟୁରେ ବାନ୍ଧି ରଖାଯାଉଥିବା ଅଭିଯୋଗ ହୋଇଛି।
ଏପରିକି ରୋଗୀ ଜଣକ କୋମାକୁ ଚାଲିଯାଇଥିବା କହି ଚିକିତ୍ସା ପାଇଁ ରୋଗୀଙ୍କ ପରିବାରଠାରୁ ୧ ଲକ୍ଷ ଟଙ୍କା ଦାବି ମଧ୍ଯ ହୋଇଥିବାର ଅଭିଯୋଗ ଆଣିଛନ୍ତି ନିଜେ ରୋଗୀ।
ଏକ ରିପୋର୍ଟ ଅନୁଯାୟୀ ଘଟଣାଟି ସେତିକିବେଳେ ସାମ୍ନାକୁ ଆସିଲା ଯେତେବେଳେ ବଣ୍ଟି ନାମକ ଜଣେ ରୋଗୀ ଆଇସିୟୁରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ବାହାରକୁ ଆସି ହସ୍ପିଟାଲର କଳା କାରନାମା ପର୍ଦ୍ଦାଫାସ୍ କରିଥିଲେ। ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମାର୍ଚ୍ଚ ୨ ତାରିଖରେ ଏକ ଗଣ୍ଡଗୋଳରେ ଆହତ ହେବା ପରେ ବଣ୍ଟି ନିନାମାଙ୍କୁ ରତଲାମର ଜିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପରିବାର ସଦସ୍ୟଙ୍କଠାରୁ ଟଙ୍କା ନେଇ ସାରିବା ପରେ ବଣ୍ଟି କୋମାରେ ଅଛନ୍ତି ବୋଲି କହିଥିଲେ। ଏପରିକି ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି ଏବଂ ସେ କଥା କହିବା ସ୍ଥିତିରେ ନାହାନ୍ତି ବୋଲି ମଧ୍ଯ ହସ୍ପିଟାଲ ତରଫରୁ କୁହାଯାଇଥିଲା। ଏପରିକି ବଣ୍ଟିଙ୍କୁ ବାନ୍ଧିକି ରଖାଯାଇଥିଲା ବୋଲି କହିଛନ୍ତି ପରିବାର।
ତେବେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା।ଯାହା ପରେ ବଣ୍ଟି କହିଥିଲେ ଯେ ତାଙ୍କର ଚେତା ଫେରିବା ପରେ ମଧ୍ଯ ପରିବାରକୁ ଭେଟିବାକୁ ଦେଇନଥିଲେ ହସ୍ପିଟାଲ କର୍ତ୍ତୁପକ୍ଷ। ଏପରିକି ତାଙ୍କୁ ବେଡରେ ବାନ୍ଧିକି ରଖାଯାଇଥିଲା।
ତେବେ ଏହି ଘଟଣାରେ ହସ୍ପିଟାଲ ତରଫରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଥିଲା ଯେ ବଣ୍ଟିଙ୍କୁ ତାଙ୍କ ସୁରକ୍ଷା ପାଇଁ ବାନ୍ଧି ରଖାଯାଇଥିଲା। କାରଣ ବଣ୍ଟି କର୍ମଚାରୀମାନଙ୍କୁ କଇଁଚିରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
Comments are closed.