Latest Odisha News

ସାମରିକ ବିମାନ ପଠାଇ କ୍ଷତି ସହିଲେ ଟ୍ରମ୍ପ, କହିଲେ ଖର୍ଚ୍ଚ ବହୁତ ହୋଇଗଲା

ନୂଆଦିଲ୍ଲୀ : ଖର୍ଚ୍ଚ ବହୁତ ହେଲା, ତେଣୁ ଏବେଠୁ ଆଉ ସାମରିକ ବିମାନରେ ଅନ୍ୟ ଦେଶର ଲୋକଙ୍କୁ ପଠାଇବ ନାହିଁ ଆମେରିକା । ମାର୍ଚ୍ଚ ପହିଲାରେ ଶେଷ ଥର ପାଇଁ ଗୁଏତନାମୋ ବେ’କୁ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ଯାଇଥିଲା ସାମରିକ ବିମାନ । ଭାରତକୁ ମଧ୍ୟ ୩ ଥର ଆସିଛି ଆମେରିକାର ସାମରିକ ବିମାନ C-17 । ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ତାଙ୍କ ଦେଶରେ ବୋଇନ ଭାବେ ଅନୁପ୍ରବେଶ କରିଥିବା ଅନ୍ୟ ଦେଶର ନାଗରିକଙ୍କୁ, ସେମାନଙ୍କ ନିଜ ନିଜ ଦେଶକୁ ପଠାଉଛନ୍ତି ।

ସବୁ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ବାହାର କରିବା ପରେ ସେମାନଙ୍କ ଗୋଡ଼, ହାତ ଓ ଅଣ୍ଟାରେ ବେଡ଼ି ପକାଇ ସେମାନଙ୍କୁ ପଠାଇଛନ୍ତି । ଭାରତୀୟଙ୍କୁ ମଧ୍ୟ ସେମିତି ଅବସ୍ଥାରେ ଆଣି ଛଡ଼ା ଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତ ସମେତ ପେରୁ, ଗୁଏତମାଲା, ହଣ୍ଡୁରାସ୍, ପାନାମା, ଇକ୍ବେଡର୍ ଏବଂ ଗୁଏତନାମୋ ବେ’କୁ ଆମେରିକାର ସାମରିକ ବିମାନ ଲୋକଙ୍କୁ ନେଇ ଯାଇଥିଲା । ଆମେରିକାର ସାମରିକ ବିମାନ ଥରେ ଭାରତ ଆସିବାରେ ଖର୍ଚ୍ଚ ହୋଇଛି ସାଢ଼େ ୮ କୋଟି ଡଲାର୍ ।

ବେଆଇନ ଭାବେ ଅନ୍ୟ ଦେଶର ନାଗରିକଙ୍କୁ ଆମେରିକା ପଠାଇବା କିଛି ନୂଆ କଥା ନୁହେଁ । କିନ୍ତୁ ସାମରିକ ବିମାନରେ ପଠାଇ ଭିନ୍ନ ଏକ ମେସେଜ୍ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସାଧାରଣତଃ ଯୁଦ୍ଧ ବେଳେ ହିଁ ଗୋଟେ ଦେଶର ସାମରିକ ବିମାନ ଅନ୍ୟ ଦେଶକୁ ଯାଇଥାଏ । ପୁଣି ଏଥର ବେଆଇନ ନାଗରିକଙ୍କୁ ଟ୍ରମ୍ପ ପ୍ରଶାସନ ଯେଉଁଭଳି ଅବସ୍ଥାରେ ପଠାଇଛି, ତାହା ଆଗରୁ କେବେ ହୋଇ ନଥିଲା ।

Comments are closed.