ବାହାନଗା : ବାଲେଶ୍ୱର ବାହାନଗାରେ ଘଟିଥିବା ବିଧ୍ବଂସୀ ଟ୍ରେନ୍ ଦୁର୍ଘଟଣାର ୩ ଦିନ ପରେ ଆଜି ସକାଳେ ରେଳ ସୁରକ୍ଷା କମିଶନର ଶୈଳେଶ କୁମାର ପାଠକ ନିରପେକ୍ଷ ତଦନ୍ତର ଅଂଶବିଶେଷ ସ୍ୱରୂପ ସୋମବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର କାରଣ ଖୋଜିଛନ୍ତି।
ବାହାନଗା ଠାରେ ପହଞ୍ଚିବା ପରେ ପାଠକ ତୁରନ୍ତ ରେଳ ଷ୍ଟେସନ ସିଗନାଲ ରୁମ୍ ଏବଂ କଣ୍ଟ୍ରୋଲ ରୁମ୍ ଯାଞ୍ଚ କରିବାକୁ ଯାଇଥିଲେ, ଯେଉଁଠାରେ ସେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଦକ୍ଷିଣ-ପୂର୍ବ ସର୍କଲର ରେଳବାଇ ସୁରକ୍ଷା କମିଶନରଙ୍କ ଦ୍ୱାରା କରାଯାଉଥିବା ତଦନ୍ତର ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରି ପାଠକ କହିଥିଲେ ଯେ ବିସ୍ତୃତ ରିପୋର୍ଟ ମିଳିବା ପରେ ବିଧିବଦ୍ଧ ତଦନ୍ତ ସାର୍ବଜନୀନ କରାଯିବ।
ଏହି ଦୁର୍ଘଟଣାର ଏବେ ସୁଦ୍ଧା ୨୭୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଥିବା ବେଳେ ୧୧୭୫ ଜଣ ଆହତ ହୋଇଛନ୍ତି। ପାଠକ କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ହିଁ ପ୍ରକୃତ କାରଣ ନିର୍ଦ୍ଧାରଣ କରାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣାର ପ୍ରକୃତ କାରଣ କଳ୍ପନାଜଳ୍ପନା କରିବା ଠିକ୍ ହେବନି।
ଅନ୍ୟପଟେ ଏହି ମାମଲାରେ ଦୁର୍ଘଟଣା ଦିନ ଯେଉଁ ଅଧିକାରୀ ସିଗନାଲ ଦାୟିତ୍ୱରେ ଥିଲେ ବା ଷ୍ଟେସନ ମାଷ୍ଟରଙ୍କୁ ଜେରା କରିବାକୁ ନିଆଯାଇଥିବା ଗଣମାଧ୍ୟମ ପ୍ରତିନିଧିକଙ୍କ ପ୍ରଶ୍ନରେ ପାଠକ କୌଣସି ଉତ୍ତର ଦେଇନାହାନ୍ତି। କେବଳ କହିଛନ୍ତି, ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଘୋଷଣା କରିଛନ୍ତି ଯେ, ଏହି ଭୟଙ୍କର ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିଶ କରିଛି।
Comments are closed.