Latest Odisha News

BREAKING NEWS

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି।

ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତି କରାଯିବା ଉଚିତ ନୁହେଁ ବୋଲି କୁହାଯାଉଛି। କିନ୍ତୁ ରେଳବାଇ କ୍ଷେତ୍ରର କିଛି ମୌଳିକ ପ୍ରସଙ୍ଗକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଛିଡା ହୋଇଛି। ଦୁର୍ଘଟଣା ସବୁବେଳେ ଦୁର୍ଘଟଣା। କାରଣ ଯାହା ହେଉ ନା କାହିଁକି ଦୁର୍ଘଟଣା କେତେବେଳେ କେଉଁଠି ହେବ ତାହା କହିହେବ ନାହିଁ।

କିନ୍ତୁ ରେଳବାଇ କ୍ଷେତ୍ରରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ଯାହା ସବୁ ଆବଶ୍ୟକତା ତାହା ପୂରଣ କରାଯିବା ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ବିରୋଧୀଙ୍କ ଅଭିଯୋଗର ଗୁରୁତ୍ୱ ଆହୁରି ବଢିଛି ଯେତେବେଳେ ସିଏଜି ରିପୋର୍ଟର କଥା ଆସିଛି। ରେଳ ଦୁର୍ଘଟଣା ଓ ଲାଇନଚ୍ୟୁତ ଭଳି ଘଟଣାକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସିଏଜି ରିପୋର୍ଟରେ ଦର୍ଶାଇଥିଲେ।

କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ ବୋଲି କୁହାଯାଇଛି। ୨୦୨୨ ମସିହା ସେପ୍ଟେମ୍ବର ମାସରେ ରେଳ ସୁରକ୍ଷା ସଂପର୍କିତ ସିଏଜି ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଥିଲା। ସୁରକ୍ଷା ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟକାରୀ ନ ହେବା, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଠିକ ଭାବେ ନ ହେବା, ବିଭିନ୍ନ ଦୁର୍ଘଟଣା ପରେ ତଦନ୍ତ କମିଟି ଗଠିତ ହୋଇ ଦୁର୍ଘଟଣାର ରିପୋର୍ଟ ପ୍ରସ୍ତୁତ ହେଇଥିଲେ ମଧ୍ୟ ରିପୋର୍ଟ ଦାଖଲ ନ ହେବା ଓ ରିପୋର୍ଟ ପରେ କିଛି ପଦକ୍ଷେପ ଗ୍ରହଣ କରା ନ ଯିବା, ସଠିକ ଢଙ୍ଗରେ ପାଣ୍ଠିର ବିନିଯୋଗ ନ କରାଯିବା ଆଦିକୁ ନେଇ ସିଏଜି ବହୁ ତ୍ରୁଟି ବାହାର କରିଥିଲେ।

ଏପରିକି ରେଲଟ୍ରାକ ନବୀକରଣ ପାଇଁ ପାଣ୍ଠି ନିୟମିତ ଭାବେ କମ କରିବା ଓ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନ ଥିବାକୁ ନେଇ ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଇଥିଲେ। ଖାଲି ସେତିକି ନୁହେଁ ଟ୍ରାକର ସ୍ଥିତି ଯାଞ୍ଚ କରିବା ପାଇଁ ଟ୍ରାକ ରେକର୍ଡ଼ିଂ କାରର ଅଭାବ କଥା ମଧ୍ୟ କୁହାଯାଇଥିଲା।

ଟ୍ରାକ ପରିଚାଳନା ବ୍ୟବସ୍ଥାକୁ ନେଇ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଥିଲେ। ଏପରିକି ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ବହୁ ଟ୍ରେନ ଦୁର୍ଘଟଣା ଓ ଲାଇନଚ୍ୟୁତ ଘଟଣାରେ ବହୁ ଘଟଣାରେ ଟ୍ରାକ ରକ୍ଷଣାବେକ୍ଷଣ ହିଁ ପ୍ରମୁଖ କାରଣ ସାଜିଥିଲା।

ଏପରିକି ଦୁର୍ଘଟଣା ସମ୍ବନ୍ଧୀୟ ବହୁ ତଦନ୍ତର ରିପୋର୍ଟ ଦାଖଲ ହେଉ ନ ଥିବା ବେଳେ କିଛି ରିପୋର୍ଟକୁ ଗ୍ରହଣ କରାଯାଉ ନ ଥିଲା। ଯାହାକି ସିଏଜି ସାମ୍ନାକୁ ଆଣିଥିଲେ।

ଏପରିକି ଟ୍ରେନ ଦୁର୍ଘଟଣା ଗୁଡିକର ଅନ୍ୟ ଏକ ପ୍ରମୁଖ କାରଣ କୁହାଯାଉଥିବା ଟ୍ରାକ ନବୀକରଣ ପାଇଁ ପାଣ୍ଠି ହ୍ରାସ କରାଯିବା ସହ ଯାହା ଦିଆଯାଉଥିଲା ତାହା ବି ଖର୍ଚ୍ଚ ହେଉ ନ ଥିବା କୁହାଯାଇଥିଲା। ତେଣୁ ସିଏଜି ଏତେ ସବୁ ତଥ୍ୟର ଖୁଲାସା କରିଥିଲେ ମଧ୍ୟ ଏସବୁକୁ ନା ଗୁରୁତ୍ୱ ଦିଆଯାଇଥିଲା ନା କିଛି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି କୁହାଯାଇଛି।

ତେଣୁ ଏଭଳି ଏକ ଭୟାବହ ଦୁର୍ଘଟଣା ପରେ ଏ ସବୁ ତଥ୍ୟକୁ ନେଇ ବିରୋଧୀ କେନ୍ଦ୍ରର ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏଭଳି ଏକ ଦୁଃସମୟରେ ରାଜନୀତି ନ କରିବାକୁ କହୁଥିବା ବିଜେପିକୁ ଏସବୁ ପ୍ରଶ୍ନ ପଚାରିଛନ୍ତି ବିରୋଧୀ।

ବିଶେଷଜ୍ଞ, ସଂସଦୀୟ କମିଟି ଓ ସିଏଜି ରିପୋର୍ଟରେ ଏ ସମ୍ବନ୍ଧୀୟ ଚେତାବନୀ ଓ ପରାମର୍ଶକୁ ଅଣଦେଖା କରିବା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।

ତେଣୁ ମାନବିକତା ଓ ନୈତିକତା ଆଧାରରେ ଶୀର୍ଷ ସ୍ତରରେ ଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତରଦାୟୀ କରାଯିବ କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରିୟଙ୍କା। ଏପରିକି ରେଳବାଇରେ ଖାଲି ପଡିଥିବା ପଦ ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ବ୍ୟୟବରାଦ କମ କରିବା ପାଇଁ କାହାକୁ ଦାୟୀ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଲାଲ ବାହାଦୂର ଶାସ୍ତ୍ରୀ, ନୀତିଶ କୁମାର, ମାଧବ ରାଓ ସିନ୍ଧିଆ ନୈତିକତା ପାଳନ କରିଥିବା ବେଳେ ବର୍ତ୍ତମାନର ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବା କଣ ଦରକାର ନାହିଁ କି ବୋଲି ଟ୍ୱିଟ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା।

ସେପଟେ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ଏ ସବୁ ଅବହେଳାକୁ ଦର୍ଶାଇ କେନ୍ଦ୍ରର ବିଜେପି ସରକାରକୁ ପ୍ରଶ୍ନ କରିଥିଲେ ଆମ ଆଦମୀ ପାର୍ଟି ସାଂସଦ ତଥା ରେଳବାଇ ଷ୍ଟାଣ୍ଡିଂ କମିଟି ସଦସ୍ୟ ସନ୍ଦୀପ ପାଠକ।

ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ଏହି ବଡ଼ ଦୁର୍ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରୁଥିଲେ ମଧ୍ୟ ସିଏଜି, ଷ୍ଟାଣ୍ଡିଂ କମିଟି ଓ ବିଶେଷଜ୍ଞଙ୍କ ରିପୋର୍ଟକୁ ଅଣଦେଖା କରାଯିବା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.