Latest Odisha News

BREAKING NEWS

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ: ଜୁଲାଇ ୨୫ରେ ନୂତନ ନୟାଗଡ଼-ମହୀପୁର ରେଳଲାଇନ୍ ପରୀକ୍ଷଣ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ନୂତନ ରେଳ ଲାଇନକୁ ଆସନ୍ତା ୨୫ ତାରିଖ ଦିନ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯିବ ।

ପରୀକ୍ଷା ମୂଳକ ଭାବେ ରେଳ ଇଞ୍ଜିନ ଚଳାଚଳ ଆରମ୍ଭ ହେଲାଣି ।

ରେଳ ଇଞ୍ଜିନ ଚଳାଚଳ ପ୍ରତି ସାଧାରଣ ଜନତା ସତର୍କ ରହିବା ସହିତ ନିଜର ଗୃହପାଳିତ ପଶୁ ଓ ଅନ୍ୟ ପଶୁ ମାନଙ୍କୁ ରେଳଧାରଣା ପାଖରୁ ଦୁରେଇ ରଖିବାକୁ ରେଳବାଇର ପରାମର୍ଶ ।

ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କି.ମି. ବିଶିଷ୍ଟ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ୧୨ କି.ମି. ରେଳ ଲାଇନକୁ ଆସନ୍ତା ୨୫ ତାରିଖ (ଗୁରୁବାର) ଦିନ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯିବ ।

ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ ସହ ଏହା ରେଳ ଚଳାଚଳ ପାଇଁ ଉପଯୁକ୍ତ ବୋଲି ଅନୁମତି ପାଇଲା ପରେ ଏହି ଲାଇନରେ ରେଳ ଚଳାଚଳ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଶୀଘ୍ର ସମ୍ପାଦନ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରକଳ୍ପର ଉଭୟ ପାର୍ଶ୍ୱରୁ ଅର୍ଥାତ ଉଭୟ ଖୋର୍ଦ୍ଧା ରୋଡ଼ ଓ ବଲାଙ୍ଗୀର ପାର୍ଶ୍ୱରୁ କାର୍ଯ୍ୟ ଚାଲୁ ରହିଅଛି ।

ଏହି ପ୍ରକଳ୍ପ ର ୮୦ କି.ମି. ରେଳ ଲାଇନର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇସାରିଛି ଓ ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼ ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କି.ମି. ଏବଂ ବଲାଙ୍ଗୀର ଠାରୁ ବିଛୁପାଲ୍ଲୀ ପର୍ଯ୍ୟନ୍ତ ୧୫ କି.ମି. ରେଳ ଲାଇନ ଅନ୍ତର୍ଭୁକ୍ତ । ଏବେ ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ୧୨ କି.ମି. ରେଳ ଲାଇନ କାର୍ଯ୍ୟ ସମାପ୍ତ ସରିଛି ଏବଂ ଏହା ରେଳ ସଂରକ୍ଷା ଆୟୁକ୍ତଙ୍କ ଅନୁମୋଦନ ଅପେକ୍ଷାରେ ଅଛି ଓ ସର୍ବମୋଟ ଏହି ପ୍ରକଳ୍ପର ୯୨ କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ସାରିଛି ।

ଏଠାରେ ଦର୍ଶାଯାଇ ପାରେ ଯେ ୨୦୧୫ ମସିହା ଜୁଲାଇ ମାସ ୧୬ ତାରିଖ ରେ ଖୋର୍ଦ୍ଧା ରୋଡ଼ ଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୧୫ ନଭେମ୍ବର ୩ ତାରିଖ ରେ ବେଗୁନିଆ-ରାଜସୁନାଖଳା, ୨୦୧୭ ମାର୍ଚ୍ଚ ୨୦ ତାରିଖ ରେ ରାଜସୁନାଖଳା-ବୋଲଗଡ଼ ରୋଡ଼, ୨୦୧୭ ଜୁନ ୧୯ ତାରିଖ ରେ ବୋଲଗଡ଼ ରୋଡ଼-ନୟାଗଡ଼ ଟାଉନ ଏବଂ ୨୦୧୯ ଜାନୁୟାରୀ ମାସ ୧୫ ତାରିଖରେ ବଲାଙ୍ଗୀର-ବିଛୁପାଲ୍ଲୀ ମଧ୍ୟରେ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି ଓ ଏବେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୯୫୬ କୋଟି ଟଙ୍କା ବ୍ୟୟ ସରିଛି ।

ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ନୂତନ ରେଳ ଲାଇନରେ ଟ୍ରେନ ଇଞ୍ଜିନର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହେଉଥିବାବେଳେ ଏହି ଅଞ୍ଚଳର ସାଧାରଣ ଜନତା ରେଳ ଲାଇନ ଠାରୁ ଦୁରେଇ ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଥିବାବେଳେ ନିକଟସ୍ଥ ସାଧାରଣ ଜନତା ସେମାନଙ୍କ ଗୃହପାଳିତ ପଶୁ କିମ୍ବା ଅନ୍ୟ ପଶୁମାନଙ୍କୁ ରେଳ ଲାଇନ ପାଖକୁ ନଛାଡିବାକୁ ପରାମର୍ଶ ଦିଆଯାଇଅଛି ଯାହାଦ୍ୱାରା କୌଣସି ଅଘଟଣ କିମ୍ବା ଦୁର୍ଘଟଣାକୁ ଦୂର କରିହେବ ।

 

Leave A Reply

Your email address will not be published.