ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା । ତେବେ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କରିଛି ଖଣ୍ଡଗିରି ପୋଲିସ । କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ ହୋଇଛି । ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ ।
ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି । ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବାକୁ କମିଶନରେଟ ପୋଲିସ୍ ଯାତ୍ରା କମିଟିମାନଙ୍କୁ ନୋଟିସ୍ ଦେଇଛନ୍ତି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ମେଳାରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଏସିପି ତାପସ ପ୍ରଧାନ । ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ । ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ । ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି । ଜୟଦେବ ବାଟିକାରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି ।