Latest Odisha News

BREAKING NEWS

ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଅନୁଧ୍ୟାନ ସାରି ବିହାର ଓ ତେଲେଙ୍ଗାନାରୁ ଫେରିଲା ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ବିଧାନ ପରିଷଦ ଗଠନ କରିବାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ବିହାର ଓ ତେଲେଙ୍ଗାନା ବିଧାନ ପରିଷଦ ଅନୁଧ୍ୟାନ ସାରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏନେଇ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଏହି ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି, ବିଧାନ ପରିଷଦ ଗଠନ ନିମନ୍ତେ ତେଲେଙ୍ଗାନା ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ରିଜୋଲ୍ୟୁସନ ଆମେ ତୀକ୍ଷଣ ଭାବେ ଅନୁଧ୍ୟାନ କରିଛୁ । ସେହି ଆଧାରରେ ଆମ ବିଧାନସଭାରେ ରିଜୋଲ୍ୟୁସନ ଆସିପାରେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ ।

ଓଡ଼ିଶା ରାଜ୍ୟ ସରକାର ଏଥିପାଇଁ ଏକ ୬ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରି ତେଲେଙ୍ଗାନା ଓ ବିହାରକୁ ଅନୁଧ୍ୟାନ କରିବାକୁ ଦଳକୁ ପଠାଇଥିଲେ । ଏହି କମିଟିରେ ମନୋହର ରାନ୍ଧାରୀ (ବିଜେଡ଼ି), ପ୍ରମିଳା ମଲ୍ଲିକ (ବିଜେଡ଼ି), ଭୁଜବଳ ମାଝି (କଂଗ୍ରେସ) ଏବଂ ନିତିଶ ଗଙ୍ଗଦେବ (ବିଜେପି) ରହିଛନ୍ତି ।

ତେବେ ଏହି ସ୍ୱତନ୍ତ୍ର କମିଟିର ସଦସ୍ୟ ରହିଥିବା ଭୁଜବଳ ମାଝି (କଂଗ୍ରେସ) ଓ ନିତିଶ ଗଙ୍ଗଦେବ (ବିଜେପି) ବିହାର ଓ ତେଲେଙ୍ଗାନା ଗସ୍ତରେ କମିଟି ସହିତ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

ବିଧାନ ପରିଷଦ ଗଠନ ନେଇ କମିଟିର ପ୍ରଥମ ବୈଠକ ଜାନୁଆରୀ ୧୯, ୨୦୧୫ ମସିହାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟର ହିତ ତଥା ବିଭିନ୍ନ ସଂସ୍ଥାର ଦାବି ଅନୁସାରେ ଓଡ଼ିଶା ରାଜ୍ୟ ସରକାର ଅନ୍ୟ ରାଜ୍ୟମାନଙ୍କରେ ରହିଥିବା ବିଧାନ ପରିଷଦ ଗଠନ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ।

ଭାରତର ଯେଉଁସବୁ ରାଜ୍ୟରେ ବିଧାନସଭା ସହିତ ବିଧାନ ପରିଷଦ ରହିଛି ସେହି ରାଜ୍ୟ ଗୁଡ଼ିକ ହେଲା ବିହାର, ଆନ୍ଧ୍ର ପ୍ରଦେଶ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ।

Leave A Reply

Your email address will not be published.