Latest Odisha News

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବିଚ୍ଛିନ୍ନ ହେଲା କାଲିମେଳା

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବର୍ଷା ଜଳରେ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସେପଟେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଏକାକାର ହୋଇଛି ନଦୀ, ନାଳ, ରାସ୍ତା ଓ ପୋଲ । ଏହାର ପ୍ରଭାବରେ ମାଲକାନଗିରି ମୋଟୁ ଜାତୀୟ ରାଜପଥ-୩୨୬ ଜଳମଗ୍ନ ହୋଇ ରାସ୍ତା ଅବରୋଧ ହୋଇଛି । ସେପଟେ ମାଲକାନଗିରି କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ମଧ୍ୟ ପାଣି ଚାଲୁଛି । ବିଭିନ୍ନ ସ୍ଥାନରେ ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ପ୍ରବାହିତ ହେଇଥିବା ବେଳେ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି କାଙ୍ଗୁରୁକୋଣ୍ଡା ବ୍ରିଜ୍ । ଏହି ପୋଲ ଉପରେ ୨ରୁ ୩ ଫୁଟର ପାଣି ଚାଲୁଛି । ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି । ଯାତାୟତ ବ୍ୟାଘ୍ରତ ହୋଇଛି । ଯାହାକୁ ନେଇ ଅଟକି ରହିଛି ଜନଜୀବନ ।

ତେବେ ଶୁକ୍ରବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆଗାମୀ ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାରେ ଅତି ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି।

ଏଥିସହିତ ବରଗଡ଼, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଏହି ଜିଲ୍ଲାଗୁଡିକରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.