Latest Odisha News

BREAKING NEWS

ଯାଜପୁରରେ ବ୍ୟାପୁଛି ହଇଜା: ରଜରେ ଭୋଜି ନ କରିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କ ଠାରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଲାଗି ପରାମର୍ଶ ଦିଆଯାଇଛି ।

ଆଜିଠାରୁ ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ସାମୁହିକ ସମାବେଶ ବେଳେ ଭୋଜି କରିବାକୁ ମନା ହୋଇଛି । ଜିଲ୍ଲାରେ ଝାଡ଼ାବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସୂଚନା ଜାରି । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ପରାମର୍ଶ ଜାରି କରି କହିଛି ଯେ, ଘରର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ନଦୀ, ନାଳ, ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟକୁ ମନା କରାଯାଇଛି ।

ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି । ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି, ୫ଟି ପଞ୍ଚାୟତକୁ ନେଇ ଜଣେ ଲେଖାଏଁ ନୋଡାଲ୍‌ ଅଫିସର ନିୟୋଜିତ ରହି ଏହି କାର୍ଯ୍ୟକୁ ତଦାରଖ କରିବେ । ଭ୍ରାମ୍ୟମାଣ ସ୍ବାସ୍ଥ୍ୟଟିମ୍‌ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଥିବା ସୂଚନା ଦିଆଯାଇଛି ।

Comments are closed.