ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳଚକଟା ମାମଲା ଏବେ ନୂଆ ମୋଡ ନେଇଛି । ଗତ ୪ ତାରିଖରେ ଆରସିବି ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ସମ୍ପର୍କରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ ବିରାଟଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ହେଲେ କର୍ମୀଙ୍କ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଏଫ୍ ଆଇଆର୍ ରୁଜୁ ହୋଇନାହିଁ ।
ତେବେ ମିଳିଥିବା ସୂଚନା ଅନୁସାରେ, ସାମାଜିକ କର୍ମୀ ଏଚ୍ ଏମ୍ ଭେଙ୍କଟେଶ ତାଙ୍କ ଅଭିଯୋଗରେ ଆଇପିଏଲ୍ ଇତିହାସରେ ଆରସିବିର ପ୍ରଥମ ବିଜୟର ଉତ୍ସବ ପାଳନ ସମୟରେ ଦଳାଚକଟା ପାଇଁ କ୍ରିକେଟର ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି । କର୍ମୀ କହିଛନ୍ତି ଯେ ବେଙ୍ଗାଲୁରୁ ଦଳାଚକଟା ମାମଲା ପାଇଁ ବିରାଟ କୋହଲି ମଧ୍ୟ ସଂପୂର୍ଣ୍ଣ ଦାୟୀ । ତାଙ୍କୁ ଗିରଫ କରାଯାଉ ।
ତେବେ ଗତ ବୁଧବାର (ଜୁନ୍ ୪)ରେ ୧୮ ବର୍ଷ ପରେ ଆଇପିଏଲରେ ପ୍ରଥମ ଥର ପାଇଁ ବିଜୟ ପାଇବା ପରେ, ଆରସିବି ଦଳ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ଆୟୋଜିତ ହୋଇଥିଲା । ଦଳର ବିଜୟର ଉତ୍ସବ ପାଳନରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇଥିଲେ । ହେଲେ ଦୁଃର୍ଭାଗ୍ୟ, ଏତେ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବା ବେଳେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଯେୁଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଏଥିରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଥିଲେ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁଯାୟୀ, ଚିନ୍ନାସ୍ୱାମୀ ଷ୍ଟାଡିୟମ, ଯାହା ଆରସିବିର ବିଜୟକୁ ପାଳନ କରିବା ପାଇଁ ଉଦ୍ଦିଷ୍ଟ ସ୍ଥାନ, ଏତେ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ନଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚିନ୍ନାସ୍ୱାମୀ ଷ୍ଟାଡିୟମର କ୍ଷମତା ୩୫ ହଜାର ଲୋକଙ୍କର, କିନ୍ତୁ ଆରସିବିର ବିଜୟର ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୨ ରୁ ୩ ଲକ୍ଷ ଲୋକଙ୍କର ଭିଡ଼ ଜମା ହୋଇଥିଲା । ଏଥିସହିତ ବେଙ୍ଗାଲୁରୁରେ ଦଳାଚକଟା ତଦନ୍ତ ପାଇଁ, ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜନ୍ ମାଇକେଲ୍ ଡି’କୁନହାଙ୍କ ନେତୃତ୍ୱରେ ଏକ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ମଧ୍ୟ ଗଠନ କରିଛନ୍ତି । ଏହାସହିତ, ବେଙ୍ଗାଲୁରୁ ଦଳାଚକଟା ମାମଲା ସହିତ ଜଡିତ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ ନିଖିଲ ସୋସାଲେ, ବ୍ୟବସାୟ ବ୍ୟାପାରର ଉପାଧ୍ୟକ୍ଷ ସୁନୀଲ ମାଥ୍ୟୁ, ବରିଷ୍ଠ ଇଭେଣ୍ଟ ମ୍ୟାନେଜର କିରଣ କୁମାର ଏବଂ ଟିକେଟିଂ ଅପରେସନର ମୁଖ୍ୟ ସୁମନ୍ତ ଅନ୍ତର୍ଭୁକ୍ତ। ଚତୁର୍ଦ୍ଦଶ ଏସିଏମଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚାରି ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ତେବେ ବେଙ୍ଗାଲୁରୁ ଦଳଚକଟାରେ କୁହାଯାଉଛି, କି ବିରାଟଙ୍କୁ ଦେଖିବାକୁ ଭିଡ ଅନିୟନ୍ତ୍ରିତ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି, କ’ଣ ତଦନ୍ତ କମିଶନର ଖୋଳତାଡ ପରେ ବିରାଟ କୋହଲି ଏହି ମାମଲାରେ ଫସିପାରନ୍ତି କି ? ସମାଜକର୍ମୀଙ୍କ ଅଭିଯୋଗ ଉପରେ କି ଆକ୍ସନ ନେବ କର୍ଣ୍ଣାଟକ ପୋଲିସ୍ ? କାରଣ ପୂର୍ବରୁ ମଧ୍ୟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ଷେତ୍ରରେ ଏପରି ହୋଇସାରିଛି । ପୁଷ୍ପା-୨ ପ୍ରିମିୟର ରିଲିଜ୍ ସମୟରେ ହାଇଦ୍ରାବାଦ ଏକ ଥିଏଟରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଜଣେ ରେବତୀ ନାମକ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପୁଅ ଶ୍ରୀ ତେଜ ଗୁରୁତର ଆହତ ହୋଇଥିଲେ । ଭିଡ଼ ନିୟନ୍ତ୍ରଣରେ ଅବହେଳା ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ଥିଏଟର ପରିଚାଳନା କମିଟି ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା ।
Comments are closed.