ଆଠଗଡ଼: ଓଡ଼ିଶା ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଆଜି ଖୋଲୁଛି କଂକ୍ରିଟ୍ ସେତୁ। ଦୀର୍ଘ ମାସ ଧରି ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେବ। ଏଣିକି ପୀଠକୁ ଭକ୍ତମାନେ ନିର୍ଭୟରେ ଯାତାୟତ କରିପାରିବେ। ପ୍ରଥମେ ପୀଠକୁ ଯିବା ପାଇଁ ଝୁଲା ପୋଲ ଲଗାଯାଇଥିଲା। ଏହାର କ୍ଷମତା କମଥିବାରୁ ଭକ୍ତଙ୍କ ଯିବାଆସିବା ନେଇ ପ୍ରଶାସନ କଟକଣା ଲଗାଇଥିଲେ। ପରେ ଲୋକେ ନୂଆ କରି ତିଆରି ହୋଇଥିବା ଏକ ଅସ୍ଥାୟୀ ରାସ୍ତା ଦେଇ ମହାଦେବ ଦର୍ଶନ କରୁଥିଲେ। ହେଲେ ମହାନଦୀ ଜଳସ୍ତର ବୃଦ୍ଧି ହେବାରୁ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ଅନ୍ୟପଟେ ନୂତନ କଂକ୍ରିଟ୍ ସେତୁ କାର୍ଯ୍ୟ ସରିଥିଲେ ମଧ୍ୟ ଆପ୍ରୋଚ୍ ରୋଡ୍ ନିର୍ମାଣ କାମ ସରିନଥିଲା। ଫଳରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋବାରୁ ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିଲା। ପ୍ରଶାସନ ବୁଧବାର ସେତୁରେ ଯିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏହାର ଉଦଘାଟନ ନେଇ ସରକାରୀ ଭାବେ କୌଣସି ସୂଚନା ଆସିନଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଆସନ୍ତା ୧୦ ତାରିଖରେ ଶ୍ରାବଣର ପ୍ରଥମ ସୋମବାର ପଡୁଥିବାରୁ ଭକ୍ତ ଏବଂ କାଉଡିଆଙ୍କ ଭିଡ ଲାଗିରହିବ। ଏହି କଂକ୍ରିଟ ସେତୁ ଯୋଗୁଁ ଭକ୍ତଙ୍କ ଯାତାୟତରେ ବହୁତ ସୁବିଧା ହେବ। ପ୍ରକାଶଯୋଗ୍ୟ ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ହେଉଛି ୨୭୬ ମିଟର ହୋଇଥିବା ବେଳେ ପ୍ରସ୍ଥ ୬.୨ ମିଟର ଅଟେ।
Comments are closed.