Latest Odisha News

BREAKING NEWS

ପୁଟିନଙ୍କ ବ୍ୟକ୍ତିଗତ ଜୀବନର ରହସ୍ୟ ଖୋଲିଲେ ଦେହରକ୍ଷୀ; କହିଲେ ମୋବାଇଲ ଧରନ୍ତିନି ରାଷ୍ଟ୍ରପତି

ମସ୍କୋ: ଅତ୍ୟାଧୁନିକ ଯନ୍ତ୍ରପାତିର ଭଣ୍ଡାର ରହିଛି ଏଠି । ଖାଲି ୟୁକ୍ରେନ ନୁହଁ ନିଜ ସ୍ୱାଭିମାନ ପାଇଁ ସାରା ବିଶ୍ୱ ସହ ଲଢିବା ପାଇଁ ପ୍ରସ୍ତୁତ ଅଛି । ହେଲେ ଏମିତି ଏକ  ଦେଶର ରାଷ୍ଟ୍ରପତି ଆଜିର ଦିନରେ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ । ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ? ହେଲେ କଥାଟି ସତ୍ୟ । ଆମେ କହୁଛୁ ରୁଷ ପ୍ରଧାନମନ୍ତ୍ରୀ ଭ୍ଲଦିମାର ପୁଟିନଙ୍କ କଥା ।

ପୁଟିନ ମୋବାଇଲ ଫୋନ ରଖନ୍ତି ନାହିଁ । ତାଙ୍କ ପାଖରେ ରହୁଥିବା ଲୋକଙ୍କଠାରୁ ସେ  ଯାହା ଖବର  ପାଇଥାନ୍ତି  । ସବୁଠାରୁ ମଜା କଥା ହେଉଛି, ଯୁଦ୍ଧକୁ ଭୟ କରୁ ନ ଥିବା ପୁଟିନ କିନ୍ତୁ ମୃତ୍ୟୁକୁ ଭାରି ଭୟ କରନ୍ତି । ସେଥିପାଇଁ ସେ ପ୍ରତି ପଦପାଦରେ ସାବଧାନ ହୋଇ ଚଳନ୍ତି । ବିଶେଷ କରି ସେ କୋଭିଡକୁ ଭାରି ଡରନ୍ତି । ସେଥିପାଇଁ ସେ ସବୁବେଳେ ଲୋକଙ୍କଠାରୁ ଦୂରେଇ ନିଜ ବ୍ୟକ୍ତିଗତ ବଙ୍କରରେ ରୁହନ୍ତି । ସେ ଏବେ ବି ସଙ୍ଗରୋଧରେ ଅଛନ୍ତି । ଏକଥା ତାଙ୍କର ଜଣେ ପୂର୍ବତନ ଦେହରକ୍ଷୀ କହିଛନ୍ତି ।

ଗ୍ଲେବ କାରାକୁଲୋବ । ପୁଟିନଙ୍କ ପୂର୍ବତନ ଦେହରକ୍ଷୀ । ସେ ରାଷ୍ଟ୍ରପତି ପୁଟିନଙ୍କ ସହ ୧୮୦ଟି ଦେଶ ଗସ୍ତ କାର୍ଯ୍ୟକ୍ରମରେ ଯାଇଛନ୍ତି । ଗ୍ଲେବ କାରାକୁଲୋବଙ୍କ ଏକ ସାକ୍ଷାତକାର ଡସିୟର ସେଣ୍ଟର ନାମକ ଏକ ଅନୁସନ୍ଧାନ ମୂଳକ ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ସେ ପୁଟିନଙ୍କ ଜୀବନର ଅନେକ ରହସ୍ୟର ପର୍ଦ୍ଦାଫାଶ କରିଛନ୍ତି ।

ସେ କହିଛନ୍ତି, ପୁଟିନ ୨ଟି ଜିନିଷକୁ ବହୁତ ଡରୁଥିଲେ । କାଳେ ତାଙ୍କୁ କିଏ ହତ୍ୟା କରିବ ଏବଂ କାଳେ କୋଭିଡ ହୋଇଯିବ । କୌଣସି କାର୍ଯ୍ୟକ୍ରମରେ ଯିବାକୁ ଥିଲେ ତା ପୂର୍ବରୁ ଯେଉଁମାନେ ତାଙ୍କ ସହ ଯିବେ ସେମାନଙ୍କୁ ୨ ସପ୍ତାହ କ୍ୱରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ସେ କାର୍ଯ୍ୟକ୍ରମ ୧୫ ମିନିଟର ହେଉ ବା ୧୫ ଘଣ୍ଟାର । ୨ ସପ୍ତାହ କ୍ୱାରେଣ୍ଟିନରେ ରହିଥିବା କର୍ମଚାରୀଙ୍କୁ ହିଁ ତାଙ୍କ ସହ ଗୋଟିଏ କୋଠରୀରେ ରହିବାର ଅନୁମତି ମିଳିଥାଏ ।

ପୁଟିନ ଯେତେବେଳେ ଦୂର ସ୍ଥାନକୁ ଯାତ୍ରା କରନ୍ତି ସେତେବେଳେ ସେ ବିମାନ ଅପେକ୍ଷା ବ୍ୟକ୍ତିଗତ ଟ୍ରେନରେ ଯିବାକୁ ଅଧିକ ପସନ୍ଦ କରିଥାନ୍ତି ।ନିଜ ଗସ୍ତକୁ ଗୁପ୍ତ ରଖିବା ପାଇଁ ସେ ଏପରି କରିଥାନ୍ତି । କାରଣ ବିମାନକୁ ସହଜରେ ଟ୍ରାକ କରିହେବ ।

ଅନ୍ୟ ଦେଶକୁ ଗଲେ ପୁଟିନ ଏକ ଟେଲିଫୋନ ବୁଥ ସାଙ୍ଗରେ ନେଇ ଯାଇଥାନ୍ତି । ଏଥିରେ ଏକ ବଡ ଡିଜିଟାଲ କମ୍ପ୍ୟୁଟର ଓ ଟେଲିଫୋନ ଥାଏ । ତାହାର ସାହାଯ୍ୟରେ ସେ ଅନ୍ୟମାନଙ୍କ ସହ କଥା ହୋଇଥାନ୍ତି ।

ପୁଟିନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ହେଲେ ଗ୍ଲେବ କାରାକୁଲୋବଙ୍କ କହିବା ଅନୁଯାୟୀ, ୬୦ ବର୍ଷ ବୟସ୍କ ପୁଟିନ ତାଙ୍କ ବୟସର ଅନ୍ୟ ଲୋକଙ୍କ ତୁଳନାରେ ଯଥେଷ୍ଟ ସୁସ୍ଥ । ସେ ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି ।

Leave A Reply

Your email address will not be published.