Latest Odisha News

BREAKING NEWS

ବର୍ଷ ୨୦୨୧-୨୨ରେ ୧୦ ଆଞ୍ଚଳିକ ଦଳ ନେଇଛନ୍ତି ୮୫୨ କୋଟି ଟଙ୍କାର ଚାନ୍ଦା; ଏଡିଆର୍ ରିପୋର୍ଟ

ନୂଆଦିଲ୍ଲୀ: ଡିଏମକେ, ଆପ୍, ୱାଇଏସଆର କଂଗ୍ରେସ, ଜେଡିୟୁ, ବିଜେଡି ସହ ମୋଟ ୧୦ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଏହାର ପରିଚାଳନା ପାଇଁ ୨୦୨୧-୨୨ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୮୫୨.୮୮ କୋଟି ଟଙ୍କା ଚାନ୍ଦା ନେଇଛନ୍ତି। ରାଜନୈତିକ ଦଳଗୁଡିକର ହିସାବନିକାସ ରଖୁଥିବା ଏନଜିଓ ସଂସ୍ଥା ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ବର୍ଷ ୩୬ ରାଜନୈତିକ ଦଳକୁ ମୋଟ ୧,୨୧୩ କୋଟି ଟଙ୍କା ମିଳିଥିବା ବେଳେ ୧୦ ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୮୫୨.୮୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଛନ୍ତି। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆୟୋଗକୁ ଦେଇଥିବା ନିଜର ଅଡିଟ୍ ରିପୋର୍ଟକୁ ବିଶ୍ଲେଷଣ କରି ଏଡିଆର ୨୦୨୧-୨୨ ପାଇଁ ୩୬ ଆଞ୍ଚଳିକ ଦଳର ଆୟ ଓ ବ୍ୟୟର ରିପୋର୍ଟ ଦେଇଛି।

ତାମିଲାନାଡୁରେ କ୍ଷମତାସୀନ ଦଳ ଡିଏମକେ ସବୁଠୁ ଅଧିକ ୩୧୮ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ଦ୍ୱିତୀୟରେ ଓଡ଼ିଶାର ବିଜେଡିକୁ ୩୦୭ କୋଟି ଟଙ୍କା ଚାନ୍ଦା ମିଳିଛି। ସେହିପରି ଟିଆରଏସ ୨୧୮ କୋଟି ଚାନ୍ଦା ପାଇଛି। ଦେଶର ଶୀର୍ଷ ୫ ଦଳର ମୋଟ ଆୟ ୧୦୨୪.୪୨୪ କୋଟି ଟଙ୍କା ରହିଥିଲା ବୋଲି ଏଡିଆର୍ ରିପୋର୍ଟରେ ପ୍ରକାଶ କରିଛି।

୨୦୨୦-୨୧ ତୁଳନାରେ ବିଜେଡିର ଆୟ ୨୩୩ କୋଟି ଟଙ୍କା ବଢିଛି । ସେହିପରି ଟିଆରଏସର ୧୮୦ କୋଟି, ଡିଏମକେର ଆୟ ୧୬୮ କୋଟି ଟଙ୍କା ବୃଦ୍ଧି ପାଇଛି । ୨୦୨୦-୨୧ ବର୍ଷ ଶେଷ ସୁଦ୍ଧା ଡିଏମକେ ନିକଟରେ ୨୮୩ କୋଟି ଟଙ୍କା, ବିଜେଡି ନିକଟରେ ୨୭୮ କୋଟିରୁ ଅଧିକ ଟଙ୍କା ରହିଛି । ଟିଆରଏସ ପାଖରେ ମାତ୍ର ୧୯୦ କୋଟି ଟଙ୍କା ରହିଛି । ୨୦୨୧-୨୨ରେ ୩୬ ଆଞ୍ଚଳିକ ଦଳର ମୋଟ ଖର୍ଚ୍ଚ ୨୮୮ କୋଟି ଟଙ୍କା ଥିଲା । ଶୀର୍ଷ ପାଞ୍ଚ ଦଳର ମୋଟ ଖର୍ଚ୍ଚ ୧୭୬.୭୭୯ କୋଟି ଟଙ୍କା ଥିଲା ।

ସବୁଠୁ ଅଧିକ ଖର୍ଚ୍ଚ କରିଥିବା ଦଳ ମଧ୍ୟରେ ୫୪ କୋଟି ଟଙ୍କା ସହ ସମାଜବାଦୀ ପାର୍ଟି ଶୀର୍ଷରେ ରହିଛି । ସେହିପରି ଡିଏମକେ ୩୫ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆପ୍ ୩୦ କୋଟି ଖର୍ଚ୍ଚ କରିଛି, ବିଜେଡି ୨୮ କୋଟି ଟଙ୍କା ଏବଂ ଏଆଇଏଡିଏମକେ ୨୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

Leave A Reply

Your email address will not be published.