Latest Odisha News

BREAKING NEWS

‘ଏକ ଦେଶ, ଏକ ନିର୍ବାଚନ’ ବୈଠକକୁ କଂଗ୍ରେସର ବର୍ଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ‘ଏକ ଦେଶ, ଏକ ନିର୍ବାଚନ’ ସର୍ବଦଳୀୟ ବୈଠକରେ ଯୋଗଦେବ ନାହିଁ ବୋଲି ସୂଚନା ମିଳିଛି । ସମଗ୍ର ଦେଶରେ ଏକ ସମୟରେ ସବୁ ରାଜ୍ୟର ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବା ଲାଗି ହେଉଥିବା ଯୋଜନାକୁ କଂଗ୍ରେସ ବିରୋଧ କରିବା ସହିିତ ଏହି ବୈଠକକୁ ବର୍ଜନ କରିଛି ।

ଅନ୍ୟ ଦଳର ବରିଷ୍ଠ ନେତା ତଥା କିଛି ଆଗଧାଡ଼ିର ବରିଷ୍ଠ କଂଗ୍ରେସ ନେତାଙ୍କ ସହିତ ପରାମର୍ଶ ପରେ ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

ଅନେକ ଦଳର ବରିଷ୍ଠ ନେତାମାନେ ଏହି ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ହେଉଥିବା ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିଏସପି ସୁପ୍ରିମୋ ମାୟାବତୀ ଏହି ବୈଠକକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଜବାଦୀ ପାର୍ଟି ମଧ୍ୟ ବିରୋଧ କରିଥିବା ଜଣାପଡ଼ିଛି ।

ମିଳିଥିବା ସଦ୍ୟତମ ସୂତ୍ରରୁ ଜଣାପଡ଼ିଛି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଡ଼ିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ୍ ମଧ୍ୟ ଏହି ବୈଠକରେ ଯୋଗ ଦେଉନାହାନ୍ତି ।

ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ଏନସିପି ସଭାପତି ଶରଦ ପାୱାର ଏବଂ ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁ ଏହି ବୈଠକକୁ ବର୍ଜନ କରିଛନ୍ତି, ମାତ୍ର ବାମପନ୍ଥୀ ଦଳଗୁଡ଼ିକ ଏହି ବୈଠକରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.