ଭୁବନେଶ୍ବର: ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ । ଓଡିଶା ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ମୋଟ ୧୪ ବିଧାୟକରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି । ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ ।
ବିଧାନସଭାକୁ କଂଗ୍ରେସ ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି । ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି । ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି ।
ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅଚଳ ପଡିଛି ଗୃହ । କେତେବେଳେ ମିନିଟ ଟିଏ ତ ଆଉ କେତେବେଳେ ଘଣ୍ଟାଏ ପାଇଁ ଚାଲି ମୁଲତବୀ ହେଉଛି ବିଧାନସଭା । ଶେଷ ଥର ପାଇଁ ଗତ ୧୮ ତାରିଖରେ ସୁରୁଖୁରୁରେ ଚାଲିଥିଲା ଗୃହ । ଏହା ପରେ ଯେବେ ଯେବେ ଗୃହ କାର୍ଯ୍ୟକ୍ରମ ରହିଛି, ସେତେବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସଙ୍କ ପ୍ରତିବାଦରେ କମ୍ପିଛି ଗୃହ । ଯେଉଁଥିରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରନ୍ତି ।
ତେବେ ଚଳିତ ଅଧିବେଶନ ମୁଖ୍ୟ ବିରୋଧୀ ଦଳ ବିଜେଡି ଅପେକ୍ଷା ବେଶୀ ଚର୍ଚ୍ଚାରେ ରହିଛି ବିରୋଧୀ କଂଗ୍ରେସ । ଅଧିବେଶନ ଆରମ୍ଭରୁ ହିଁ ରାଜ୍ୟରେ ନାରୀ ଅସୁରକ୍ଷିତ ପ୍ରସଙ୍ଗରେ ଗୃହ କମିଟି ଦାବି କରି ବାରମ୍ବାର ହଙ୍ଗାମା ଜାରି ରଖିଛି । ବିଧାନସଭା ଭିତରେ ବାହାରେ ସବୁଠି କଂଗ୍ରେସ ଅନ୍ୟନ୍ୟ ପ୍ରତିବାଦ ଦେଖିବାକୁ ମିଳିଛି । କେତେବେଳେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛି, ତ ଆଉ କେତେବେଳେ ଗୃହ ଭିତରେ ଘଣ୍ଟ, ମହୁରୀ, ବଂଶୀ ଏବଂ ଝାଞ୍ଜ ବଜାଇ ସରକାରଙ୍କୁ ଘେରିଛି କଂଗ୍ରେସ । ଯାହାକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଏନେଇ ଶାସକ ଦଳ ମୁଖ୍ୟ ସଚେତକ, ଏକାଧିକ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ଯାହାକୁ ଗ୍ରହଣ କରି ମୋଟ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି ।
ସେପଟେ ଏହି ନିଲମ୍ବନ ପଦକ୍ଷେପକୁ କଡା ନିନ୍ଦା କରିଛି କଂଗ୍ରେସ । ସରକାର ସେମାନଙ୍କ ଦାବି ନଶୁଣି, ଏପରି କରି ଶାସକ ଦଳ ଗଣତନ୍ତ୍ରକୁ ହତ୍ୟା କରି, ଏକଛତ୍ରବାଦ ଶାସନ ଚଳାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହାକୁ କଡା ସମାଲୋଚନା କରି ବିଜେପି କହିଛି, ଗୋଟି କାର୍ଯ୍ୟଦିବସ ପାଇଁ ସରକାରଙ୍କ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଭଳି ଭାବେ ଗୃହ ଅଚଳ କରି ଜନତାଙ୍କ ସ୍ବାର୍ଥରେ ହସ୍ତକ୍ଷେପ କରୁଚନ୍ତି ବିରୋଧୀ । ପ୍ରଶ୍ନକାଳ ସାଧାରଣ ଲୋକଙ୍କର ଅସୁବିଧା ବିଷୟରେ ଆଲୋଚନା ପାଇଁ ଏବଂ ନିଜ ଅଞ୍ଚଳର ସମସ୍ୟାର ନିର୍ଯାସ ବାହାରିବା ପାଇଁ ହୋଇଥିବା ବେଳେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ନିନ୍ଦନୀୟ ।
ଅନ୍ୟପଟେ ବିଜେଡି କଂଗ୍ରେସ ସପକ୍ଷରେ ବାହାରିଛି । ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, କଂଗ୍ରେସ ଯାହା କରୁଛି ତାହା ମସନ୍ଦ ନଥିଲେ ମଧ୍ୟ, ଆଲୋଚନା ନକରି ଏଭଳି ପଦକ୍ଷେପ ନେବା ଉିତ୍ ନୁହେଁ ବୋଲି ସେ କହିଛନ୍ତି । ଏଥିସହିତ ଦଣ୍ଡ ଦାବି ଠାରୁ ବଳିଗଲା ବୋଲି କହି ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଆଲୋଚନା କରନ୍ତୁ ବୋଲି ଦାବି କରିଛି ବିଜେଡି ।