ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ସଙ୍କଟ ମଧ୍ୟରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିବା ପରେ ଆସିଛି ନୂଆ ଟ୍ୱିଷ୍ଟ । ଯଦି ବିଜେପିରେ ମିଶିବନି ତେବେ ନିଜ ଘରକୁ ଫେରିଆସ ବୋଲି କଂଗ୍ରେସ ତାଙ୍କୁ ପରାମର୍ଶ ଦେଇଛି ।
ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି ଯେ, ଯଦି ସତରେ ସଚିନ ବିଜେପିରେ ସାମିଲ ହେବାକୁ ଚାହୁଁ ନାହାନ୍ତି ତାହେଲେ ହରିୟାଣା ବିଜେପି ସରକାରଙ୍କ ଅତିଥି ସତ୍କାର ଅସ୍ୱୀକାର କରନ୍ତୁ ଏବଂ ନିଜ ଘର ଜୟପୁରକୁ ଫେରି ଆସନ୍ତୁ। କଂଗ୍ରେସ ଦଳର ପକ୍ଷ ରଖି ରଣଦୀପ ସୁରଜେବାଲା କହିଛନ୍ତି ଯେ, ସଚିନ ପାଇଲଟ ଓ ଅନ୍ୟ ସାଥୀଙ୍କୁ ଅନେକଥର ପଚରାଯାଇଛି । ଵିଚାରିକ ମତଭେଦ ଥିଲେ ପାର୍ଟି ଫୋରମ ଉପରେ କଥାବାର୍ତ୍ତା କରିପାରିବ। ଉଦାର ହୃଦୟ ସହ ସମସ୍ତଙ୍କ ସମସ୍ୟା ଶୁଣିବାକୁ ଓ ସମାଧାନ ବାଟ ବାହାର କରିବାକୁ ସମସ୍ତେ ପ୍ରସ୍ତୁତ। ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ଅନେକଥର ନିମନ୍ତ୍ରଣ କରାଯାଇଛି। ବହୁମତ ଅଛି ଯଦି ପ୍ରମାଣ କରନ୍ତୁ ବୋଲି ସେ କହିଛନ୍ତି।
ବୁଧବାର ଦିନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେବାଲା ବିଜେପି ଉପରେ ଆରୋପ ଲଗାଇଥିଲେ ଯେ, ବିଜେପି ରାଜସ୍ଥାନ ଅଶୋକ ଗେହଲତ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । ରଣଦୀପ ସୁରଜେବାଲା କହିଛନ୍ତି ଯେ, ଗତ ୨୪ ଘଣ୍ଟାର ଘଟଣାକ୍ରମରେ ପ୍ରମାଣିତ ହୋଇଛି ଯେ ଜନତା ବାଛିଥିବା ସରକାରଙ୍କୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଛି କିନ୍ତୁ ବିଜେପି ଏଥିରେ ସଫଳ ହୋଇନାହିଁ। ବିଜେପିକୁ ରାଜସ୍ଥାନର ଜନମତ ସାମ୍ନାରେ ଅସ୍ତ୍ର ପକାଇବାକୁ ପଡିଛି । ସଚ୍ଚିନ ପାଇଲଟ ବିଜେପିରେ ସାମିଲ ହେଉନାହାନ୍ତି ବୋଲି ମିଡ଼ିଆ ରିପୋର୍ଟ ଜଣାପଡ଼ିଥିବା ସେ କହିଛନ୍ତି ।
Comments are closed.