Latest Odisha News

ତେଜିଲା ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ହେଲେ ବିରୋଧୀଙ୍କୁ ଆହୁରି ଖୋରାକ ଯୋଗାଇଛି କଳାହାଣ୍ଡି ଗସ୍ତରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା । ଯାହାକୁ ନେଇ ବିରୋଧୀଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଶାସକ ଦଳ ତାଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାକୁ ନେଇ ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ତଥା ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ଜନସାଧାରଣଙ୍କ ଭିତରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି । ହେଲେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ପୋଲିସ ଛାଉଣୀ ଭିତରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇଥିଲେ । ଏପରିକି ମନ୍ତ୍ରୀଙ୍କ ଭାଷଣ ପରେ ତାଳି ମାରି ଉତ୍ସାହିତ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଓ ଓଡ଼ିଶାର ମା’ ଭଉଣୀଙ୍କୁ ଯେଭଳି ଉପହାସିତ କରିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଏହାକୁ ବିରୋଧ କରି ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ ୧୨ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.