Latest Odisha News

BREAKING NEWS

କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରବା ପାଇଁ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ: ଶରତଙ୍କ ପଦକ୍ଷେପକୁ ପ୍ରଶଂସା କଲେ ସୁର, ତାରା

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଗଲାଣି ଉଦ୍ୟମ । ଦଳ ଖୋଜୁଛି ଉପଯୁକ୍ତ ପ୍ରାର୍ଥୀ । ପ୍ରାର୍ଥୀ ତାଲିକା ପଠାଇବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ପ୍ରାର୍ଥୀ ମନୋନୟକ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।

ଦଳ ପକ୍ଷରୁ ଜିଲ୍ଲା ସଭାପତିଙ୍କୁ କୁହାଯାଇଛି, ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ରୁ ୫ ଜଣ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯିବ । ଏହି ତାଲିକା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରଦାନ କରଯିବ । ଏହି ତାଲିକା ଅତ୍ୟନ୍ତ ଗୋପନୀୟ ରଖିବା ପାଇଁ ଜିଲ୍ଲା ସଭାପତିଙ୍କୁ କୁହାଯାଇଛି ।

ଏ ନେଇ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଥର ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଉଛି । ଯାହାର ଜିତିବା ସମ୍ଭବନା ରହିଛି, ଲୋକ ସମ୍ପର୍କ ଯାହାର ଭଲ ରହିଛି ସେମାନଙ୍କୁ ପ୍ରାଥମିକତା ଦେବ ଦଳ । ତୃଣମୂଳ ସ୍ତରରେ ଉପଯୁକ୍ତ ପ୍ରାର୍ଥୀ କିଏ ଏ କଥା  ଜିଲ୍ଲା ସଭାପତିମାନେ ଜାଣନ୍ତି। ତେଣୁ ସେମାନଙ୍କୁ ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି  । ଜିଲ୍ଲା ସଭାପତିଙ୍କ ତାଲିକାକୁ ପିସିସି ଯାଞ୍ଚ କରିବା ପରେ ଏଆଇସିସିକୁ ପଠାଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଏଥର ଟିକେଟ ପାଇଁ ଆଉ କୌଣସି ଗୋଷ୍ଠୀ କିମ୍ବା ବଡ ନେତାଙ୍କ ଦୁଆରେ ଚକ୍କର କାଟିବା ଦରକାର ନାହିଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ପିସିସି ସଭାପତିଙ୍କର ଏପରି ପଦକ୍ଷେପକୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏବଂ ତାରା ବାହିନୀପତି ପ୍ରଶଂସା କରିଛନ୍ତି ।

ତାରା ବାହିନପତି ଏହାକୁ ଏକ ଭଲ ପରମ୍ପରା ବୋଲି କହିଛନ୍ତି । ବ୍ଲକ ଓ ଜିଲ୍ଲା ସଭାପତି ଜାଣନ୍ତି, କାହାକୁ ଟିକେଟ ଦେଲେ ଜିତିବେ । ତେଣୁ ସେମାନଙ୍କୁ ଦାୟିତ୍ୱ ଦେଇ ଠିକ କରିଛନ୍ତି । ସେହିପରି ସୁର ରାଉତରାୟ ପିସିସି ସଭାପତିଙ୍କ ଏପରି ପଦକ୍ଷେପ ବଢିଆ ପଦକ୍ଷେପ ବୋଲି କହି ଏହାକୁ ସ୍ୱାଗତ କରିଛନ୍ତ ।

Comments are closed.