Latest Odisha News

BREAKING NEWS

ସର୍ବଦଳୀୟ ବୈଠକରେ ‘ଅପରେସନ ସିନ୍ଦୂର’: କଂଗ୍ରେସ ଚାହେଁ ମୋଦି କୁହନ୍ତୁ…

ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକରେ ‘ଅପରେସନ ସିନ୍ଦୂର’ ନେଇ ଆଲୋଚନା କରିବେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସମ୍ପ୍ରତି ଅପରେସନ୍ ସିନ୍ଦୂର ବିଷୟରେ ସୂଚନା ଦେବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯେଉଁଥିରେ ପାକିସ୍ତାନର ନଅଟି ଆତଙ୍କବାଦୀ ଶିବିର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଟାର୍ଗେଟ କରାଯାଇଥିବା ବେଳେ, ଏଥିରେ ଭାରତ ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣରେ ଜୀବନ ହରାଇଥିବା ୨୮ ନିରୀହ ଜୀବନର ବଦଲା ନେଇଛି।

ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ସଶସ୍ତ୍ର ବାହିନୀ ଦ୍ୱାରା ପଡ଼ୋଶୀ ଦେଶରେ ହୋଇଥିବା ଉଚ୍ଚ-ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ କରାଯିବାର କିଛି ଘଣ୍ଟା ପରେ ଏହି ପ୍ରସ୍ତାବିତ ବୈଠକ ନେଇ ଏକ୍ସରେ ପୋଷ୍ଟ କରିଥିଲେ। ଯେଉଁଥିରେ ବିରୋଧୀ ନେତାମାନଙ୍କୁ ଅପରେସନ୍ ସିନ୍ଦୁରର ଉଦ୍ଦେଶ୍ୟ, ସଶସ୍ତ୍ର ବାହିନୀ ଦ୍ୱାରା ଧ୍ୱଂସ କରାଯାଇଥିବା ଲକ୍ଷ୍ୟସ୍ଥଳ ଏବଂ ପାକିସ୍ତାନରୁ ପ୍ରତିଶୋଧ ନେବା କ୍ଷେତ୍ରରେ ଭାରତର ପ୍ରସ୍ତୁତି ବିଷୟରେ ଅବଗତ କରାଯିବ।

ଆଜି ସକାଳ ସକାଳ ୧୧ଟାରେ ନୂଆଦିଲ୍ଲୀର ସଂସଦ ଲାଇବ୍ରେରୀ ସ୍ଥିତ ସଂସଦ କମ୍ପ୍ଲେକ୍ସର କମିଟି ରୁମ, ଜି-୦୭୪ ରେ ଏକ ସର୍ବଦଳୀୟ  ବୈଠକ ଡକାଯାଇଥିଲା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି ଦାବି କରିଛି କଂଗ୍ରେସ। କଂଗ୍ରେସ ଚାହେଁ ପ୍ରଧାନମନ୍ତ୍ରୀ ମୋଦି ହିଁ ଏହି ବୈଠକକୁ ସମ୍ବୋଧିତ କରନ୍ତୁ।

ତେବେ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କିରନ ରିଜିଜୁ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଯାହାକୁ ନେଇ କଂଗ୍ରେସ ଆଶା କରୁଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସର୍ବଦଳୀୟ ବୈଠକ ପରି ନକରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଉପସ୍ଥିତ ରହିବା ଉଚିତ୍।  ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମେ ଆଶା କରୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ଅତି କମରେ ଆସନ୍ତାକାଲିର ସର୍ବଦଳୀୟ ବୈଠକରେ ଯୋଗଦେବେ। ଆମେ ଏପ୍ରିଲ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପାଇଁ ଅନୁରୋଧ କରିଥିଲୁ, କିନ୍ତୁ ସେ ଯୋଗ ଦେଇ ନଥିଲେ। ଅତି କମରେ ଆସନ୍ତାକାଲି ଯୋଗ ଦେବା ଉଚିତ। ଏଥିସହିତ ରମେଶ ନିଶ୍ଚିତ କରିଛନ୍ତି ଯେ, ଏହି ବୈଠକରେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେବେ।

ତେବେ କହିରଖିଛୁ, ରାଜନୈତିକ ନେତାମାନେ, ଦଳ ସୀମା ଅତିକ୍ରମ କରି, ଏହି ଅପରେସନ ରେ ସଶସ୍ତ୍ର ବାହିନୀର ପ୍ରଶଂସା କରିବା ସହ ବିରଳ ଏକତା ପ୍ରଦର୍ଶିତ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ କଂଗ୍ରେସ, ବାମପନ୍ଥୀ ଦଳ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାବିଡ଼ ମୁନେତ୍ର କାଝଗମ, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା (ୟୁବିଟି) ଏବଂ ଏନସିପି (ଏସପି) ଏକ ସ୍ୱରରେ ଏହି ପଦକ୍ଷେପକୁ ସମର୍ଥନ କରିବା ସହ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଯେକୌଣସି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Comments are closed.